ବ୍ରହ୍ମପୁର: ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ୭ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ, ଅଫୁଟା ଗୁଳି, ବିପୁଳ ପରିମାଣରେ ଟଙ୍କା ଏବଂ ମୋବାଇଲ୍ ଜବତ କରାଯାଇଛି । ଏ ନେଇ ଶନିବାର ବ୍ରହ୍ମପୁର ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।
ପୋଲିସର ସୂଚନା ମୁତାବକ, ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗୋଷାଣୀନୂଆଗାଁ ଓ ବୈଦ୍ୟାନାଥପୁର ଅଞ୍ଚଳରୁ ଗିରଫ କରାଯାଇଛି । ସେମାନେ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରୁଥିବାର ପୋଲିସକୁ ସୂଚନା ମିଳିଥିଲା । ଗୋଷାଣୀନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୋଲିସ ମିଳିତ ଚଢ଼ଉରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗୋଷାଣୀନୂଆଗାଁ ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଥିବାବେଳେ ବୈଦ୍ୟନାଥପୁର ଦୁଇ ଜଣ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ଲକ୍ଷ୍ମୀନରସିଂହସାହିର ସୂରଜ ପାଢ଼ୀ (୩୯), ଭଂଜନଗର ଥାନା କୁଲାଣ୍ଡି ଗାଁର ଗୋବର୍ଦ୍ଧନ ପାତ୍ର (୩୮), ଶାସ୍ତ୍ରୀନଗରର ସୁନୀଲ କୁମାର ସାହୁ (୩୪), ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧୀନ ତିରୁମାଲା ଗାଁର ସୁମନ୍ତ ପାତ୍ର (୩୯) ଓ ଜଙ୍କିଆ ଥାନା ଅଧୀନ ହାଡ଼ପାଦ ଗାଁର ରବୀନ୍ଦ୍ର ମହରଣା (୫୦)। ସେହିପରି ଜରଡ଼ା ଥାନା ନାରାୟଣପୁର ଗାଁର ରଂଜନ ଗୌଡ଼ (୪୦) ଓ ବ୍ରହ୍ମପୁର କେ ନୂଆଗାଁ ଥାନା ରାମଚନ୍ଦ୍ରପୁର ଗାଁର ସୁଶୀଳ କୁମାର ପଣ୍ଡା (୪୭)ଙ୍କୁ ବୈଦ୍ୟନାଥ ଥାନା ଅଞ୍ଚଳରୁ ଗିରଫ କରାଯାଇଛି ।
ସେମାନଙ୍କ ନିକଟରୁ ୫ ବନ୍ଧୁକ, ୯ଟି ଜୀବନ୍ତ ଗୁଳି, ୫ଟି ଦେଶୀ ବୋମା, ୧,୧୧,୫୦୦ ଟଙ୍କା, ୬ଟି ମୋବାଇଲ, ଏକ କାର୍, ୨୨ଟି ଏଟିଏମ୍ କାର୍ଡ ଜବତ ହୋଇଛି । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।