ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ଶିଦ ଅପରେସନ ସିନ୍ଦୂରକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଅପରେସନ ସିନ୍ଦୂର ସମୟରେ ଭାରତ ନୁହେଁ ବରଂ ପାକିସ୍ତାନ ସର୍ବପ୍ରଥମେ ଯୋଗାଯୋଗ କରି ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲା । ଏହାକୁ ନେଇ ଯେଉଁ ଅନ୍ୟ ଆଲୋଚନା କରାଯାଉଛି ସେ ସବୁ ବକବାସ । ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଲେ ଖୁର୍ଶିଦ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓକୁ ଫୋନ କରି ଅସ୍ତ୍ରବିରତି ପାଇଁ ଦାବି କରିଥିଲା । ଏହା ପରେ ହିଁ ଭାରତ ନିଜର କାର୍ଯ୍ୟାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଣ୍ଣୟ ନେଇଥିଲା । ଉଲ୍ଲେଖନୀୟ ଅସ୍ତ୍ରବିରତିକୁ ନେଇ ତାଙ୍କ ପାର୍ଟି କଂଗ୍ରେସ ଲଗାତାର ପ୍ରଶ୍ନ ଉଠାଇ ଆସିଛି । ରାହୁଲ ଗାନ୍ଧୀ ଅନେକ ସମୟରେ କହିଛନ୍ତି ଯେ, ଆମେରିକାର ଚାପ କାରଣରୁ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଛି ।
ଖୁର୍ଶିଦ କହିଛନ୍ତି, କିଏ ଯଦି କହିବ ଆମେ ପ୍ରଥମେ କଲ୍ କରିଥିଲୁ, ତାହା ସଂପୂର୍ଣ୍ଣ ବକବାସ । ଯେବେ କଲ୍ ଆସିଲା ସେ ପର୍ଯ୍ୟନ୍ତ ପାକିସ୍ତାନର ବହୁତ କ୍ଷତି ଘଟି ସାରିଥିଲା । ଆମେ ତେବେ ଯାଇ ହମଲା ରୋକିବାକୁ ନିଷ୍ପତ୍ତି ନେଲୁ, କିନ୍ତୁ ପରବର୍ତ୍ତୀ ତିନି ଚାରି ଘଣ୍ଟା ଧରି ସୀମାପାର ଗୁଳିମାଡ ଜାରି ରହିଥିଲା । ଖୁର୍ଶିଦ ଏହା ମଧ୍ୟ କହିଛନ୍ତି, ପାକିସ୍ତାନରେ ନା ସରକାର ହାତରେ ଦେଶ ଚାଲୁଛି ନା ସେଠାକାର ସେନା ଏକଜୁଟ ଅଛି । ସୈନିକଙ୍କ ମଧ୍ୟରେ ବି ଅନେକ ଗୋଷ୍ଠୀ ଅଛନ୍ତି, ଯିଏ ପରସ୍ପରର ଶକ୍ତି ଦେଖାଇବା ପାଇଁ ଲଢୁଛନ୍ତି ।
ଖୁର୍ଶିଦ ଏହା ମଧ୍ୟ କହିଛନ୍ତି, ଭାରତ ଏବେ ମହାଶକ୍ତି ହେବାର ମାର୍ଗରେ ରହିଛି ଏବଂ କେହି ଦେଶକୁ ର ।ସ୍ତାରୁ ହଟାଇ ପାରିବ ନାହିଁ । ଭାରତ ମହାନ ହେବାର ପ୍ରତୀକ୍ଷାରେ ଅଛି । ଏହା ଜରୁରୀ ଯେ, ବେଳେ ବେଳେ ଦୁନିଆକୁ ନିଜର ସାମର୍ଥ୍ୟ ଦେଖାଇବାକୁ ପଡିଥାଏ । ପାକିସ୍ତାନକୁ ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାରତର ଏକ ମାତ୍ର ଓ ସ୍ଥାୟୀ ଦାବି ହେଉଛି ପାକିସ୍ତାନ ଆତଙ୍କବାଦକୁ ତ୍ୟାଗ କରୁ । ଭାରତର ସ୍ୱର ଆଜି ଶାସକ ଓ ବିରୋଧୀ ମିଶି ଏକଜୁଟ ସହ ଉଠାଇଛନ୍ତି । ଯଦି ପାକିସ୍ତାନଠାରେ କିଛି ବି ବୁଦ୍ଧିମତା ଅଛି ତେବେ ସେ ବୁଝି ଯାଉ ଭାରତ କଣ ଦାବି କରୁଛି ।