ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ପ୍ରହାର କରିବାକୁ ଚେଷ୍ଟା କରିଥିଲେ । ସେମାନେ ଆମ ସମାଜକୁ ଖଣ୍ଡବିଖଣ୍ଡିତ କରିବାକୁ ଚେଷ୍ଟା କରିଥିଲେ । ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁର ଘଣ୍ଟି ପାଲଟିଛି । ଆଜି ଏଭଳି ଢଙ୍ଗରେ ପୁଣି ଥରେ ଆତଙ୍କବାଦୀଙ୍କୁ ଚେତବନୀ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମଧ୍ୟ ପ୍ରଦେଶର ଭୋପାଳରେ ପ୍ରଧାନମନ୍ତ୍ରୀ ଅହଲ୍ୟାବାଈ ହୋଲକରଙ୍କ 300ତମ ଜନ୍ମବାର୍ଷିକୀରେ ଏକ ଡାକ ଟିକେଟ୍ ଜାରି କରିଛନ୍ତି। ଏହା ବ୍ୟତୀତ ସେ ଇନ୍ଦୋରରେ ମେଟ୍ରୋ ସେବା ଏବଂ ଦାତିଆ-ସତନା ବିମାନବନ୍ଦରର ଉଦଘାଟନ କରିଛନ୍ତି । ଏହି ଅବସରରେ ସାଧାରଣ ସଭାକୁ ମୋଦୀ ସମ୍ବୋଧନ କରି ଆତଙ୍କବାଦୀଙ୍କୁ ପୁଣି ଥରେ ନିଶାଣ କରିଛନ୍ତି ।
ମୋଦୀ କହିଛନ୍ତି, ସିନ୍ଦୂର ଆମର ପରମ୍ପରା, ମହିଳା ଶକ୍ତିର ପ୍ରତୀକ ଅଟେ । ରାମ ରଙ୍ଗରେ ରଙ୍ଗିନ ପ୍ରଭୁ ହନୁମାନ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ । ଶକ୍ତି ପୂଜାରେ ସିନ୍ଦୂର ମଧ୍ୟ ଅର୍ପଣ କରାଯାଏ । ଏହି ସିନ୍ଦୂର ବୀରତ୍ୱର ପ୍ରତୀକ ପାଲଟିଛି । 'ଅପରେସନ୍ ସିନ୍ଦୁର ହେଉଛି ଭାରତର ଇତିହାସରେ ଆତଙ୍କବାଦୀଙ୍କ ବିରୋଧରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ । ପାକିସ୍ତାନ ଯେଉଁଠି ଭାବି ମଧ୍ୟ ନଥିଲା, ଆମର ସେନା ସେଠାରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବ । କିନ୍ତୁ ଆମର ସେନା ଶହ ଶହ କିଲୋମିଟର ଭିତରକୁ ପଶି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ମାଟିରେ ମିଶାଇ ଦେଇଛନ୍ତି । ଆତଙ୍କବାଦ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କାମ କରିବ ନାହିଁ ବୋଲି ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ସ୍ପଷ୍ଟ କରି ସାରିଛି । ଏବେ ଆମେ ଘରେ ପଶି ଆତଙ୍କବାଦୀଙ୍କୁ ମାରିବୁ ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଏହାର ବହୁମୂଲ୍ୟ ଦେବାକୁ ପଡିବ ବୋଲି ପରୋକ୍ଷରେ ପାକିସ୍ତାନକୁ କଡ଼ା ଚେତବାନୀ ଦେଇଛନ୍ତି ମୋଦୀ । ଯଦି ଆତଙ୍କବାଦୀ ଗୁଳି ଫୁଟାନ୍ତି, ତେବେ ସେମାନଙ୍କୁ ଗୋଳାରେ ଜବାବ ଦେବାକୁ ଆଜି ଭାରତର ପ୍ରତ୍ୟେକ ନାଗରିକ କହୁଛନ୍ତି ।
ସେହିପରି ମୋଦୀ ନିଜ ଭାଷଣରେ ନାରୀ ଶକ୍ତିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 'ଅପରେସନ୍ ସିନ୍ଦୁର ଆମର ନାରୀ ଶକ୍ତିର ପ୍ରତୀକ ପାଲଟିଛି । ଆମେ ସମସ୍ତେ ଜାଣୁ ଯେ ବିଏସଏଫ ଏହି ଅପରେସନରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି । କାଶ୍ମୀରରୁ ଗୁଜରାଟ ପର୍ଯ୍ୟନ୍ତ, ବିଏସଏଫର ଝିଅମାନେ ମୋର୍ଚ୍ଚାର ନେତୃତ୍ୱ ନେଉଥିଲେ । ସେମାନେ ସୀମା ପାରରୁ ଗୁଳି ଚଳାଇବାର ଜବାବ ଦେଇଛନ୍ତି । ବିଏସଏଫର ସାହସୀ ଝିଅମାନେ ଆଶ୍ଚର୍ଯ୍ୟଜନକ ସାହସିକତା ଦେଖାଇଛନ୍ତି । ସାରା ବିଶ୍ୱ ଝିଅମାନଙ୍କ ସାହସିକତା ଦେଖୁଛି । ଆଜି, ଆମର ସମସ୍ତ ପ୍ରମୁଖ ମହାକାଶ ମିଶନରେ ବହୁ ସଂଖ୍ୟକ ମହିଳା ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରାୟଣ-3 ମିଶନରେ 100 ରୁ ଅଧିକ ମହିଳା ବୈଜ୍ଞାନିକ ଏବଂ ଇଞ୍ଜିନିୟର ସାମିଲ ଥିଲେ ବୋଲି କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଅହଲ୍ୟାବାଇ ହୋଲକରଙ୍କ ଯୋଗଦାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଛନ୍ତି । ଦେବୀ ଅହଲ୍ୟାବାଇ ହୋଲକର କହୁଥିଲେ ଯେ ଶାସନର ପ୍ରକୃତ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା ଦେବୀ ଅହଲ୍ୟାବାଇ ଭାରତର ଐତିହ୍ୟର ଜଣେ ମହାନ ରକ୍ଷକ ଥିଲେ । ଯେତେବେଳେ ଦେଶର ସଂସ୍କୃତି, ଆମର ମନ୍ଦିର, ଆମର ତୀର୍ଥସ୍ଥଳ ଉପରେ ଆକ୍ରମଣ ହେଉଥିଲା, ଲୋକମାତା ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଇଥିଲେ । ସେ କାଶୀ ବିଶ୍ୱନାଥ ସମେତ ସମଗ୍ର ଦେଶରେ ଆମର ଅନେକ ମନ୍ଦିର ଏବଂ ତୀର୍ଥସ୍ଥଳ ପୁନଃନିର୍ମାଣ କରିଥିଲେ।