କେନ୍ଦ୍ରାପଡ଼ା: ବିଭାନରେ ବିରାଜିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିଛନ୍ତି ରାଧାମାଧବ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର ନରସିଂହପୁର ଦୋଳ ମେଲଣ ପ୍ରତିବର୍ଷ ଭଳି ଏଥର ବି ବେଶ୍ ଧୁମଧାମ୍ ସହିତ ସମ୍ପନ୍ନ ହୋଇଛି ମେଲଣ । ଘଣ୍ଟଘଣ୍ଟା, ବାଦ୍ୟଯନ୍ତ୍ର ଓ ସଂକୀର୍ତ୍ତନରେ ଉଚ୍ଛଳି ପଡ଼ିଛି ମେଳଣ ପଡ଼ିଆ । ଯାହା ଏକ ଭକ୍ତମୟ ପରିବେଶ ସୃଷ୍ଟି କରିଥିଲା । ଶୋଭାଯାତ୍ରାରେ ଏଥର ଡିଜେ ପରିବର୍ତ୍ତେ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଛି ।
ଥାନପତି ଝିଙ୍କଡି ମଠ ବିମାନ ପ୍ରଥମେ ମେଳଣ ପଡ଼ିଆରେ ଆସି ବସିଥିଲେ । ଏହାପରେ ପଛକୁ ପଛ ପାଖାପାଖି ୧୩୦ରୁ ଅଧିକ ଠାକୁର ବିଭାନରେ ବସି ଶୋଭାଯାତ୍ରା କରି ଆସି ମେଲଣ ପଡ଼ିଆରେ ଏକାଠି ହୋଇଥିଲା । ଏହା ପରେ ସବୁ ଠାକୁରଙ୍କୁ ଏକାଠି ଭୋଗ ଲାଗି କରାଯାଇଥିଲା । ମେଲଣ ପଡ଼ିଆରୁ କୋଠ ଭୋଗ ଖାଇ ସାରି ଠାକୁର ମାନେ ଓଳକଣା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।