ଭୁବନେଶ୍ୱର: ଏବେ ଠାରୁ କଲବଲ କଲାଣି ତାତି । ଦିନର ତାପମାତ୍ରା ଏତେ ଅଧିକ ଯେ ଘରୁ ପାଦ କାଢିବା ସମ୍ଭବ ହୋଇପାରୁ ନାହିଁ । ମାର୍ଚ୍ଚ ମାସ ପହଲାରୁ ତାତି ତାର କରାଳ ରୂପ ଦେଖାଇଲାଣି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ସବୁଠୁ ଉତ୍ତପ୍ତ ସହର ପାଲଟି ଯାଇଛି ସମ୍ୱଲପୁର । ଦିନ ୧୧ ଟା ସୁଦ୍ଧା ସମ୍ୱଲପୁରର ପାରଦ ଟପିଛି ୩୭ ଡିଗ୍ରୀ । ବର୍ତ୍ତମାନ ସୁଦ୍ଧା ୩୭.୭ ରେକର୍ଡ ହୋଇଛି ।
ସୂଚନା ଅନୁସାରେ, ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଦୋଳ ଓ ହୋଲି ଦିନ ତାତି ପ୍ରକୋପ ବେଶି ରହିଥିଲା । ଗୁରୁବାର ଦିନ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ସହରରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିପାରେ ବୋଲି ଚେତାଇଛି ପାଣିପାଗ ବିଭାଗ।
ସେହି ଭଳି ସୁନ୍ଦରଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମ ଲହରୀ ବେଶି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମ ଲହରୀ ପାଇଁ ସୋନପୁର, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରବିବାର ମଧ୍ୟ ୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ କଲବଲ କରିପାରେ ।