ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଫଳରେ ତାତିରେ ଡହଳବିକଳ ହେଉଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ଅଧାରୁ ଡହଡ଼ହ ଖରା। ଆଜି ଠାରୁ ଆଗାମୀ ୫ଦିନ ତାତିରେ ଜଳିବେ ଲୋକେ। ୧୮ ତାରିଖ ଯାଏ ସିଭିୟର ହିଟ ୱେଭ ଓ ଉଷ୍ମରାତି ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ରାଜ୍ୟରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ। ଏପରିକି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୫ରୁ ୬ ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଛି। ତେବେ ବଢୁଥିବା ତାପମାତ୍ରା ପାଇଁ ଆଜି ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜ ଏହି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କେନ୍ଦୁଝର, ବରଗଡ଼, ବାଲେଶ୍ବର, ଗଜପତି, ଭଦ୍ରକ, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।