ସମ୍ବଲପୁର: ସମ୍ବଲପୁରରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଘରୁ ଡାକିନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀର ଆଦିତ୍ୟ ସାଲମା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବିକ ଆଦିତ୍ୟ ଶନିବାର ହୋଲି ଖେଳୁଥିବା ବେଳେ କିଛି ଯୁବକ ଆସି ତାଙ୍କୁ ଘରୁ ଡାକିନେଇଥିଲେ । ଏହା ପରେ ଘର ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିବା ପରେ ସେଠାରୁ ଫେରାର ମାରିଥିଲେ । ତେବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ମେଡିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସେପଟେ ଘଟଣାପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଦିନ ଦ୍ୱିପ୍ରହରରେ ରଙ୍ଗ ଖେଳ ଚାଲିଥିବା ବେଳେ ଏହି ହତ୍ୟାକାଣ୍ଡ କିପରି ହେଲା ସେନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠାଇ ଉତ୍ତେଜନା କରିଛନ୍ତି ସ୍ଥାନୀୟ ଲୋକେ । ସୁରକ୍ଷାକୁ ଦୃଷ୍ଟିରେ ରଖି ମେଡିକାଲରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ମଧ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ସାହୁଳ ସିଂଙ୍କୁ ଗିରଫ କରିଛି । ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।