ରାଉରକେଲା: ଆକ୍ସନ ମୁଡରେ ଓଡ଼ିଶା ପୋଲିସ । ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କରାଯାଉଛି ଏନକାଉଣ୍ଟର । ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ପୋଲିସ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଦେବ ନରାୟଣ ସିଂହଙ୍କ ପୁଅ ବାଣେଶ୍ୱର ସିଂହ (୨୦) ଏବଂ ପେଙ୍ଗୁ ସିଂହଙ୍କ ପୁଅ ଶିବନାଥ ସିଂହ (୨୬)। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଘର ବିଶ୍ରା ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ, ବିଶ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରେ ୭ ରୁ ୮ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଡକାୟତି କରିଥିଲେ । ଗ୍ରାହକଙ୍କଠାରୁ ୨୦ ହଜାର ଟଙ୍କା ନେଇ ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏ ନେଇ ବ୍ୟକ୍ତିଙ୍କ ପତ୍ନୀ ବିସ୍ରା ଥାନା ଏଫ୍ଆଇଆର୍ ଦାଖଲ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏକ ବାଇକୁ ଅଟକାଇଥିଲା । ବାଇକ ଆରୋହୀ ପୋଲିସ ଉପରକୁ ଗୁଳି ଚଲାଇଥିଲେ । ପୋଲିସର ପାଲଟା ଗୁଳିରେ ବାଣେଶ୍ୱର ଏବଂ ଶିବନାଥଙ୍କ ଗୋଡ଼ରେ ଗୁଳି ବାଜିଥିଲା ।
ପୋଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ସେମାନଙ୍କୁ ରାଉରକେଲା ଆଇଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଖସି ପଳାଇବାରେ ସଫଳ ହୋଇଛି ।