ଗଜପତି: ଶିକାର କରିବାକୁ ଯାଇ ନିଜ ବନ୍ଧୁକ ଗୁଳିର ଶିକାର ହେଲେ ଶିକାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ । ଶିକାର କରିବାକୁ ଯାଇ ନିଜ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି । ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ ।
ସୂଚନା ଅନୁସାରେ, ଗତ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ଓ ତାଙ୍କ ଦୁଇ ସମ୍ପକୀୟ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ । ତେବେ ଶୁକ୍ରବାର ରାତି ପ୍ରାୟ 8 ଟାରେ ଗାଁ ଠାରୁ କିଛି ଦୂରରେ ଗୁଳି ଶବ୍ଦ ଶୁଭିଥିଲା । ଗାଁ ଲୋକେ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ହରିଶ୍ଚନ୍ଦ୍ର ଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ପଡ଼ିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ହାତ ମଧ୍ୟ ଗୁଳି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ତାଙ୍କ ସ୍ତ୍ରୀ ପହଞ୍ଚିବା ସହ ତାଙ୍କ ଘରେ କୌଣସି ବନ୍ଧୁକ ନଥିବା ସେ ସୂଚନା ଦେଇଛନ୍ତି । ତେବେ ସେ କେଉଁଠୁ ବନ୍ଧୁକ ଆଣିଲା ତାହା ସେ ଜାଣିନଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।