ଭୁବନେଶ୍ୱର: ତାତିରେ ପୁରା ରାଜ୍ୟ କଲବଲ ହେଉଛି । ଅସହ୍ୟ ଗରମ ସାଙ୍ଗକୁ ତାତି ବୋଝ ଉପରେ ଲଳିତା ବିଡା ସଦୃଷ ମନେ ହେଉଛି । ଗତକାଲି ତାତି ୪୨ ଡିଗ୍ରୀ ଅତିକ୍ରମ କରିଛି । ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି ଅନୁଭବ ହେଉଛି । ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ଏହି ତାତି ଆହୁରି ୩ ଦିନ ରହିବ । ଅସମ୍ଭାଳ ତାତି ଲାଗି ରହିଥିବା ବେଳେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ କିଛି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗମୀ ୪ ଦିନ ପରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୧୬ ତାରିଖ ଅର୍ଥାତ ଆଜି ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି । ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଅନୁଗୋଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ଆଲର୍ଟ ଓ ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, କେନ୍ଦୁଝର ଓ ଗଜପତି ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୟେଲୋ ଚେତାବନୀ ଜାରି କରାଯାଇଛି । ଉଷ୍ମ ରାତ୍ରି ପାଇଁ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି ।
ସେପଟେ ୧୭ ତାରିଖରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରହିବ । ଏଥିପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୧୯ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିବାଗ । ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ ।ସେହିପରି ୨୦ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ ।
ଅଧିକ ପଢନ୍ତୁ: ୩୭ ଡିଗ୍ରୀ ପାର ହେଲା ଦିନର ତାପମାତ୍ରା; ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର