ଭୁବନେଶ୍ୱର: ଆଜି ପୁରୀ ସ୍ବର୍ଗଦ୍ବାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । କବି ରମାକାନ୍ତ ରଥଙ୍କର ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି । ଗତକାଲି ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ କବି ରମାକାନ୍ତ ରଥଙ୍କର ପରଲୋକ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବାର୍ତ୍ତା ଦେବା ସହିତ ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସେଥିପାଇଁ ଆଜି କବି ରମାକାନ୍ତ ରଥଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ସେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଆଧୁନିକ କବି ଭାବେ ବେଶ ଲୋକପ୍ରିୟ ଥିଲେ । ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ସେ ୧୯୫୭ ମସିହାରେ ଯୋଗଦେଇଥିଲେ । ସେ ନିଜର କବିତା ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧକାର ଏବଂ ଶ୍ରୀରାଧା ଆଦି କବିତା ଗୁଡିକ ପାଇଁ ସେ କବିତା ପ୍ରେମୀ ମହଲରେ ବେଶ ଜଣାଶୁଣା ଥିଲେ । ସପ୍ତମ ଋତୁ କବିତା ପାଇଁ ସେ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୨୦୦୬ ମସିହାରେ ପଦ୍ମ ଭୂଷଣ ସମ୍ମାନର ଅଧିକାରୀ ହୋଇଥିଲେ । ସେ ୧୯୯୩ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଉପସଭାପତି ଓ ପରେ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୨ ମସିହାରେ ସେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଯାଇଛି ।
ଅଧିକ ପଢ଼ନ୍ତୁ: କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ ସଂପନ୍ନ