ପୁରୀ: ପଞ୍ଚଭୂତରେ ବିଲୀନ ହୋଇଛି ବିଶିଷ୍ଟ କବି ପଦ୍ମ ଭୂଷଣ ରମାକାନ୍ତ ରଥଙ୍କର ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୋମବାର ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ପୁଅ ପିନାକୀ ରଥ ତାଙ୍କର ମୁଖାଗ୍ନି ଦେଇଛନ୍ତି ।
ଗତକାଲି ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ କବି ରମାକାନ୍ତ ରଥଙ୍କର ପରଲୋକ ହୋଇଥିଲା । ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ସେ ୧୯୫୭ ମସିହାରେ ଯୋଗଦେଇଥିଲେ । କିନ୍ତୁ ସେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଆଧୁନିକ କବି ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ନିଜର କବିତା ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧକାର ଏବଂ ଶ୍ରୀରାଧା ଆଦି କବିତା ଗୁଡିକ ପାଠକ ମଧ୍ୟର ବେଶ ଆଦୃତ ହୋଇପାରିଛି ।
ସପ୍ତମ ଋତୁ କବିତା ପାଇଁ ସେ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୨୦୦୬ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ ୧୯୯୩ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଉପସଭାପତି ଓ ପରେ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୨ ମସିହାରେ ସେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଯାଇଛି ।