ନୂଆଦିଲ୍ଲୀ: ଆଉ ନାହାଁନ୍ତି ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ସୋମବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତେବେ ଆଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ, ପୁଅ, ବୋହୁ, ନାତି ଓ ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।
ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଚିକିତ୍ସକ, କୃଷିବିତ୍, ସମାଜସେବୀ ଓ ଦକ୍ଷ ରାଜନୀତିଜ୍ଞ ଥିଲେ । ଦେବେନ୍ଦ୍ର ପ୍ରଧାନ ପେଶାରେ ଜଣେ ଡାକ୍ତର ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ୧୯୪୧ ମସିହା, ଜୁଲାଇ ୧୬ ତାରିଖରେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଣିହା ବ୍ଲକ୍ ନଲାମ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ମହେଶ୍ୱର ପ୍ରଧାନ ଏବଂ ମାତାଙ୍କ ନାମ ସ୍ୱର୍ଗତ ଚନ୍ଦ୍ରମା ଦେବୀ । ୧୯୪୮ ମସିହାରେ କଣିହା ବ୍ଲକ୍ ନଲାମ ବିଦ୍ୟାଳୟରୁ ପ୍ରଥମେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ଏହା ପରେ ଅନୁଗୁଳ କଲେଜରେ ଶିକ୍ଷା ଲାଭ କରିଥିଲେ । ୧୯୬୧ରୁ ୧୯୬୬ ମସିହା ମଧ୍ୟରେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏମବିବିଏସ୍ ପଢ଼ା ଶେଷ କରିବା ପରେ ସେହିଠାରେ ହିଁ ହାଉସ୍ ସର୍ଜନ ଭାବେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୩ ମସିହା ଜାନୁୟାରୀ ମାସରେ ସେ ତାଙ୍କର ଡାକ୍ତରୀ ଜୀବନରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।
ଡାକ୍ତରୀ ସେବାରୁ ଅବସର ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୀତି ଜୀବନ । ଡାକ୍ତର ପ୍ରଧାନ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ଥିଲେ । ଆଉ ରାଜ୍ୟ ବିଜେପିରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ବିଜେପିକୁ ସୁସଙ୍ଗଠିତ ଏବଂ ସୁଦୃଢ଼ କରି ଗଢ଼ି ତୋଳିବାରେ ତାଙ୍କ ଅତୁଳନୀୟ ଅବଦାନ ରହିଛି । ୧୯୮୦ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏଠି ମଧ୍ୟ ସେ ଅଟକି ନ ଥିଲେ । ରାଜ୍ୟ ବିଜେପି ତାଙ୍କ ଉପରେ ଭରସା କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ବସାଇଥିଲା । ୧୯୮୦ରୁ ୮୩ ଯାଏ ସେ ବିଜେପି ତାଳଚେର ମଣ୍ଡଳର ସଭାପତି ଥିଲେ । ୧୯୮୩ରେ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ହୋଇଥିଲେ । ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଦେବଗଡ଼ ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଡକ୍ଟର ପ୍ରଧାନ । ୧୯୮୮ ମସିହାରେ ସେ ହୋଇଥିଲେ ବିଜେପିର ରାଜ୍ୟ ସଭାପତି । ୧୯୯୭ରେ ବିଜେପି ଜାତୀୟ ପର୍ଯ୍ୟବେକ୍ଷକ ସଦସ୍ୟ ହୋଇଥିଲେ ।
୧୯୯୮ରେ ପୁନର୍ବାର ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । ଡାକ୍ତର ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସଡକ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି । ୧୯୯୯ରେ ଦେବଗଡ଼ ଆସନରୁ ପୁଣି ଥିରେ ସାଂସଦ ଭାବେ ନିର୍ବାଚିତ ହୋଇ କୃଷି ରାଷ୍ଟ୍ର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଦେବେନ୍ଦ୍ର ପ୍ରଧାନ ୨୦୦୧ ମସିହାରେ ରାଷ୍ଟ୍ରୀୟ ଉପ-ସଭାପତି ହୋଇଥିଲେ । ୨୦୦୨ ମସିହା ଯାଏଁ ଏହି ଦାୟିତ୍ଵରେ ରହିଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ଏହା ପରେ ପୁଣି ଥରେ ୨୦୦୪ ମସିହାରେ ପାଲଲହଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ୨୦୦୪ରୁ ୨୦୦୮ ମସିହା ମାର୍ଚ୍ଚ ୩ ତାରିଖ ଯାଏ ସେ ବିଜେପିର ରାଜ୍ୟ ପର୍ଯ୍ୟବେକ୍ଷକ ସଦସ୍ୟ ହୋଇଥିଲେ ।
ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ତାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ।