ନବ ଦାସ ହତ୍ୟା ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ନିକଟରେ ନବଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ । ଏବେ ପରିବାର ଏ ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଗତ ୧୧ ତାରିଖରେ ସ୍ବର୍ଗତ ଦାସଙ୍କ ପତ୍ନୀ ମିନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଥିବାରୁ ଶ୍ରୀମତୀ ଦାସ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଇ-ମେଲ୍ ଓ ଡାକ ଯୋଗେ ଚିଠି ପଠାଇ ସାକ୍ଷାତକାର ନିମନ୍ତେ ସମୟ ମଗାଯାଇଛି ବୋଲି ସୂଚନା ରହିଛି ।
ସୂଚନା ଅନୁସାରେ ୨୦୨୩ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ଏହାସହ କିଛି ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା । ହେଲେ ସେମାନେ ହାଜର ନ ହୋଇ ସମୟ ମାଗିଥିଲେ । ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ହେଲେ ଆବେଦନ ପାଇଁ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ସମାଲୋଚନା ହେଉଛି ।