ଭୁୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ସରକାର ଗାଡିଭଡା, ସାଉଣ୍ଡ ସିଷ୍ଟମ, ବ୍ୟାରିକେଡ୍, ତମ୍ବୁ ଓ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ ପରିଚାଳନା ସମେତ ବିଭିନ୍ନ ଲଜିଷ୍ଟିକ ବ୍ୟବସ୍ଥା ପାଇଁ ୧୧୫.୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସୋମବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ବାଦ ରାଜ୍ୟରେ କେତେ ପ୍ରଶାସନିକ ପଦବୀ ଖାଲି ପଡିଛି ତାହା ଉପରେ ମଧ୍ୟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଗୃହରେ ନିଜର ଉତ୍ତରରେ କହିଛନ୍ତି ଯେ, ଖର୍ଚ୍ଚର ଏକ ପ୍ରମୁଖ ଅଂଶ ୮୦.୯୩ କୋଟି ଟଙ୍କା କେବଳ ନିର୍ବାଚନ ପ୍ରକ୍ରିୟାରେ ବ୍ୟବହୃତ ଯାନବାହାନ ପାଇଁ ଖର୍ଚ୍ଚ ହୋଇଥିଲା । ଏହା ବାଦ୍ ତମ୍ବୁ, ସାଉଣ୍ଡ ସିଷ୍ଟମ ଓ ବ୍ୟାରିକେଡ୍ ପାଇଁ ୩୫.୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ସବୁ ଖର୍ଚ୍ଚ ବିଜେଡି ସରକାର ଅମଳରେ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଆଉ ଏକ ତଥ୍ୟ ରଖିଛନ୍ତି ଯେ, ରାଜ୍ୟରେ ୬୭ ଆଇଏଏସ୍ ଏବଂ ୬୯ ଆଇପିଏସ୍ ପଦବୀ ଖାଲି ପଡ଼ିଛି । ସେହିଭଳି ୬୯ ଆଇଏଫଏସ୍ ପଦବୀ ଖାଲି ପଡ଼ିଥିବା ବେଳେ ୨୫୩ ଓଏଏସ୍ ଏବଂ ଓପିଏସ୍ ପଦବୀ ଖାଲି ପଡିଛି । ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା, ୨୬୩ ଓଆରଏସ୍ ପଦବୀ ଖାଲି ପଡିଛି । ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।