ଭୁବନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ରାଜ୍ୟର ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ସୁରକ୍ଷା କର୍ମୀମାନେ ମଧ୍ୟ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।
ଭାରତର ଅପରେସନ୍ ସିନ୍ଦୂର ପରେ ଛାନିଆ ହୋଇଛି ପାକିସ୍ତାନ। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି । ଗୁଇନ୍ଦା ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ଦ୍ୱାରା ଦେଶର ବିଭିନ୍ନ ଏୟାରପୋର୍ଟକୁ ଟାର୍ଗେଟ କରାଯାଉଛି। ଗୁରୁବାର ରାତିରେ ଜାମ୍ମୁ ର ଏକାଧିକ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ରକେଟ ମାଡ଼ କରିଥିଲା । ଏହାପରେ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ପୁରା ଜମ୍ମୁକୁ ବ୍ଲାକ ଆଉଟ୍ କରିଦିଆଯାଇଥିଲା । ଯାହାର କଡ଼ା ଜବାବ ଭାରତୀୟ ସେନା ପାକିସ୍ତାନକୁ ଦେଇଥିଲା ।
ସେହିପରି ଓଡ଼ିଶାର ବାଲେଶ୍ବରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଆଜି ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜିଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ହେବ । ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍ରେ ଉକ୍ତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ଯୋଗ ଦେବେ ବୋଲି ସୂଚନା ମିଳିଛି । ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବ।