ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଯୋଗ ଦେଇଛନ୍ତି । ପିଏମ ମୋଦୀ ଟ୍ରୁôଥ ସୋସିଆଲରେ ଯୋଗ ଦେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ନିଜର ଏକ ଖାସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଜରିଆରେ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଆମେରିକୀୟ ରାଷ୍ଟ୍ରପତିଙ୍କ ମଧ୍ୟରେ ସଂପର୍କର ନିବିଡତାକୁ ବୁଝା ଯାଇ ପାରିବ ।
ଟ୍ରୁଥ ସୋସିଆଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ । ପୂରା ଦୁନିଆକୁ ବାର୍ତ୍ତା କିମ୍ବା ସନ୍ଦେଶ ଦେବା ପାଇଁ ଟ୍ରମ୍ପ ଏହି ଟ୍ରୁଥ ସୋସିଆଲ ମିଡିଆର ଉପଯୋଗ କରିଥାନ୍ତି । ପିଏମ ମୋଦୀ ଟ୍ରୁଥ ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ କରି ଲେଖିଛନ୍ତି, ମୁଁ ଟ୍ରୁଥ ସୋସିଆଲ ମିଡିଆରେ ଯୋଗ ଦେଇ ବହୁତ ଖୁସି । ଏଠାରେ ଦୁନିଆର ବହୁ ନେତାଙ୍କ ସହିତ କଥା ହେବା ଓ ଆଗାମୀ ସମୟରେ ସାର୍ଥକ ଆଲୋଚନା ପାଇଁ ମଧ୍ୟ ଉତ୍ସୁକ ।
ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ସେପ୍ଟେମ୍ବର ୨୨ରେ ଟେକ୍ସାସର ହ୍ୟୁଷ୍ଟନରେ ଏନଆରଜି ଷ୍ଟାଡିୟମରେ ଆୟୋଜିତ ହାଉଡି ମୋଦୀ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ହାତ ଧରିଥିବାର ଫଟୋ ପୋଷ୍ଟ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ରେ ଟ୍ରୁଥ ସୋସିଆଲ ଆପ୍ ଲଞ୍ଚ କରିଥିଲେ । ୨୦୨୧ରେ କ୍ୟାପିଟାଲ୍ ହିଲ ଦଙ୍ଗା ପରେ ଟ୍ରମ୍ପଙ୍କୁ ଫେସବୁକ ଓ ଟୁଇଟରରେ ବ୍ୟାନ କରାଯାଇଥିଲା । ଏହା ପରେ ସେ ନିଜ ମାଲିକାନାରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିଛନ୍ତି ।