ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଭାରତର ସୀମା ରାଜ୍ୟ ଗୁଡ଼ିକୁ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ପରେ ଭାରତୀୟ ବାୟୁସେନା କଡ଼ା ଜବାବ ଦେଇଛି । ତେବେ ଅପରସେନ ସିନ୍ଦୂର ଜରିଆରେ ପିଓକେରେ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ଟିଆରଏଫ ଭଳି ଆତଙ୍କବାଦୀ ସଂଗଠନର ପ୍ରମୁଖ ତାଲିମ ଏବଂ ଲଞ୍ଚିଂ ପ୍ୟାଡଗୁଡ଼ିକୁ ଧ୍ୱଂସ କରାଯାଇଛି । ଆଉ ପିଓକେରେ ଏହି ତାଣ୍ଡବ ରଚିଥିଲା ବାୟୁ ସେନାର ଲଢ଼ୁଆ ବିମାନ ରାଫେଲ୍ । ଯାହାର ୱିଙ୍ଗ୍ କମାଣ୍ଡର ହିଲାଲ ଅହମ୍ମଦ ଥିଲେ ବୋଲି ଦାବି କରାଯାଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସେହି ସାହସୀ ରାଫେଲ ପାଇଲଟ୍ ୱିଙ୍ଗ କମାଣ୍ଡର ହିଲାଲ ଅହମ୍ମଦ ପ୍ରଥମ କାଶ୍ମୀର ମୁସଲିମ ପାଇଲଟ୍ । ସେ ଅପରେସନ ସିନ୍ଦୁରରେ ଅଂଶଗ୍ରହଣ କରିଥିବା ଦାବି କରାଯାଉଛି । ହିଲାଲ ଅହମ୍ମଦ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ମୂଳ ବାସିନ୍ଦା । ସେ ୧୯୮୮ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ବାୟୁସେନାର ଲଢ଼ୁଆ ବିମାନ MiG-21 ଏବଂ ମିରାଜ ୨୦୦୦ ଭଳି ବିମାନରେ ୩୦୦୦ ଉର୍ଦ୍ଧ୍ୱ ଘଣ୍ଟା ଦୁର୍ଘଟଣା ମୁକ୍ତ ଉଡ଼ାଣ ଅଭିଜ୍ଞତା ସେ ରଖିଛନ୍ତି । ସେ ବାୟୁସେନା ପଦକ ଏବଂ ବିଶେଷ ସେବା ପଦକ ମଧ୍ୟ ପାଇଛନ୍ତି। ଯଦିଓ ଏହି ଅପରେସନରେ ତାଙ୍କର ଅଂଶଗ୍ରହଣର କୌଣସି ସରକାରୀ ନିଶ୍ଚିତତା ନାହିଁ । କିନ୍ତୁ ତାଙ୍କ ପ୍ରୋଫାଇଲ୍ ଏବଂ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏଭଳି ଅନୁମାନ ସ୍ୱାଭାବିକ ଅଟେ ।