ଜମ୍ମୁ: ଭାରତ ଆକାଶରେ ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି। ଏବେ ପାକିସ୍ତାନ ସମ୍ପୂର୍ଣ୍ଣ ଧ୍ୱଂସର ଦ୍ୱାରଦେଶରେ ପହଞ୍ଚି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଏହାରି ଭିତରେ ରାଜୌରୀ-ପୁଞ୍ଚରେ ନିୟନ୍ତ୍ରଣ ରେଖାରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଜମ୍ମୁରେ ପହଞ୍ଚିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀରର ନୌଶେରା ସେକ୍ଟରରେ ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ ଦ୍ୱାରା ଦୁଇଟି ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ସେକ୍ଟରରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଜମ୍ମୁ ଗସ୍ତ କରିଛନ୍ତି।
ଏହା ସହିତ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ଗତକାଲି ରାତିରେ ଜମ୍ମୁ ସହର ଏବଂ ଡିଭିଜନର ଅନ୍ୟାନ୍ୟ ଅଂଶରେ ପାକିସ୍ତାନୀ ଡ୍ରୋନ ଦ୍ୱାରା ବିଫଳ ଆକ୍ରମଣ ପରେ ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଁ ଜମ୍ମୁ ଯାଉଛି।
ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଗୁଳି ଚଳାଇଛି। ଏହା ପରେ ଭାରତ ପାକିସ୍ତାନର ରାଜଧାନୀ ଇସଲାମାବାଦ, ଲାହୋର, କରାଚୀ, ସିଆଲକୋଟ, ବାହାବଲପୁର ଭଳି ନଅଟି ଗୁରୁତ୍ୱପୂର୍ଣ୍ଣ ସହର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବର୍ଷା କରିଥିଲା। ବିଳମ୍ବିତ ସନ୍ଧ୍ୟାରେ ଆକ୍ରମଣ ପରେ, ସିଡିଏସ୍ଙ୍କ ନେତୃତ୍ୱରେ ତିନି ସେନାର ମୁଖ୍ୟଙ୍କର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା।
ଭାରତର କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ଅରାଜକତା ସୃଷ୍ଟି କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଏ ସମ୍ପର୍କରେ ସାମରିକ ଏବଂ ସୁରକ୍ଷା ସମ୍ପର୍କିତ ଏକ ଜରୁରୀକାଳୀନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପାକିସ୍ତାନ ସେନା ଡିଜି ଆଇଏସ୍ପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତ ଦ୍ୱାରା କରାଯାଇଥିବା ୧୨ଟି ଡ୍ରୋନ ଆକ୍ରମଣକୁ ସ୍ୱୀକାର କରିଛନ୍ତି, ସେଗୁଡ଼ିକୁ ନିରପେକ୍ଷ କରିଥିବା ଦାବି କରିଛନ୍ତି ଏବଂ ଲାହୋରରେ ଏକ ବାୟୁ ପ୍ରତିରକ୍ଷା ଉପରେ ଆକ୍ରମଣକୁ ମଧ୍ୟ ସ୍ୱୀକାର କରିଛନ୍ତି।
ଅଧିକ ପଢ଼ନ୍ତୁ: ବଡ଼ ବୈଠକ କରିବେ ରାଜନାଥ ସିଂହ!