ଭୁବନେଶ୍ୱର: ଆଜି ପୁଣି ଥରେ ବିଧାନସଭାର ପ୍ରଶ୍ନକାଳ ପ୍ରଭାବିତ ହୋଇଛି । ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନଙ୍କର ହଟ୍ଟଗୋଳ କାରଣରୁ ସୋମବାର ପ୍ରଥମାର୍ଦ୍ଧ ବୈଠକ ବାଧାପ୍ରାପ୍ତ ହୋଇଛି । ବାଚସ୍ପତି ସୁରମା ପାଢୀ ଗୃହକୁ ୧୨.୧୫ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଛନ୍ତି ।
ଆଜି ଗୃହର କାର୍ଯ୍ୟ ନିର୍ଦ୍ଧାରିତ ସମୟ ୧୦.୩୦ ମିନିଟରେ ଆରମ୍ଭ ହୋଇଥିଲା । ବାଚସ୍ପତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ଡାକିଥିଲେ । ତଦନୁଯାୟୀ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ପଢିବା ଆରମ୍ଭ କରିଥିଲେ । ହେଲେ ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ସେହିପରି ବିଜେଡି ବିଧାୟକମାନେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ ଓ ବିଜେଡି ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ । ଫଳରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସଠିକ୍ ଭାବେ ଶୁଣାଯାଇ ନ ଥିଲା । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରୁଥିଲେ । ହେଲେ ବିରୋଧୀ ବିଧାୟକ ମାନେ ତାଙ୍କ କଥାକୁ କର୍ଣ୍ଣପାତ ନ କରି ନାରାବାଜୀ ଜାରୀ ରଖିଥିଲେ । ଏହି କାରଣରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ ୧୨.୧୫ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।