ହାଇଦ୍ରାବାଦ: ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତେଲେଙ୍ଗାନା ସରକାରଙ୍କ ବଡ଼ ପଦକ୍ଷେପ। ରାଜ୍ୟର କଂଗ୍ରେସ ସରକାର ରାଜ୍ୟରେ ଓବିସି ସଂରକ୍ଷଣ ୨୩ ପ୍ରତିଶତରୁ ବୃଦ୍ଧି କରି ୪୨ ପ୍ରତିଶତ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସୋମବାର ଏହାର ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟରେ ବର୍ତ୍ତମାନ ସଂରକ୍ଷଣ ସୀମା ୬୨ ପ୍ରତିଶତକୁ ବୃଦ୍ଧି ଘଟିବାକୁ ଯାଉଛି। ଏହା ସୁପ୍ରିମକୋର୍ଟଙ୍କ ଦ୍ଵାରା ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମାଠୁ ଅଧିକ। ସୂଚନାଯୋଗ୍ୟ, କଂଗ୍ରେସ ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଓବିସି କୋଟା ୨୩ ପ୍ରତିଶତରୁ ୪୨ ପ୍ରତିଶତ କରିବାକୁ ପ୍ରତିଶ୍ରୁତି ଦେଇଥିଲା।
ତେଲେଙ୍ଗାନା ବିଧାନସଭାରେ ଏହାର ଘୋଷଣା କରି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ପଛୁଆ ବର୍ଗର ସଂରକ୍ଷଣ ସୀମା ବୃଦ୍ଧି କରାଯାଇ ୪୨ ପ୍ରତିଶତ କରାଯିବ। କ୍ଷମତା ସମ୍ଭାଳିବା ମାତ୍ରେ ଆମ ସରକାର ୨୦୨୪ ଫେବୃଆରୀ ୪ ତାରିଖରେ ପଛୁଆ ଜାତି ଜନଗଣନା ଆରମ୍ଭ କରିଥିଲେ। ଗତ ସରକାର ବିସି ସଂରକ୍ଷଣକୁ ୩୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। କିନ୍ତୁ ଆମ ସରକାର ପଛୁଆ ଜାତିଙ୍କ ସଂରକ୍ଷଣ ସୀମାକୁ ୪୨ ପ୍ରତିଶତ ବଢାଇବାର ପ୍ରସ୍ତାବ ପଠାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହର ନେତା ଭାବେ ଆଶ୍ଵାସନ ଦେଉଛି ଯେ ପଛୁଆ ବର୍ଗକୁ ସଂରକ୍ଷଣର ଲାଭ ଦେବା ପାଇଁ ସକ୍ରିୟ ପଦକ୍ଷେପ ନିଆଯିବ। ୪୨ ପ୍ରତିଶତ ସଂରକ୍ଷଣ ହାସଲ କରିବା ପାଇଁ ମୁଁ ଏହାର ନେତୃତ୍ଵ ନେବି। ଏହି ଅବସରରେ ରେଡ୍ଡୀ ସମସ୍ତ ଦଳର ନେତାଙ୍କୁ ଅପିଲ୍ କରିଛନ୍ତି ଯେ, ସେମାନେ ଏହି ପ୍ରସଙ୍ଗରେ ସମର୍ଥନ ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଆମ ସହ ଆସନ୍ତୁ। ଆସନ୍ତୁ ଆମେ ବିସି ସଂରକ୍ଷଣକୁ ୪୨ ପ୍ରତିଶତ ବଢାଇବା ପାଇଁ ଆବଶ୍ୟକ ଆଇନ ସହାୟତା ନେବା ଏବଂ ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବା ନାହିଁ ଯେ ପର୍ଯ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୪୨ ପ୍ରତିଶତ ସଂରକ୍ଷଣ ହାସଲ ନ ହୋଇଛି।