ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କର ପରଲୋକ ଘଟିଛି । ତାଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳିଯାଇଛି । କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ନିଜ ସୋସିଆଲ ମିଡ଼ିଆରେ ଏକ୍ସରେ ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତା ଦେଇ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଅଳ୍ପ କେତେଜଣ ଶ୍ରେଷ୍ଠ କବି ଙ୍କ ମଧ୍ୟ ରେ ସେ ଥିଲେ ଅନ୍ୟତମ । ସପ୍ତମ ଋତୁ,ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତ ରେ ଚିର ଦିନ ପାଇଁ ଅମରକରି ରଖିବ ।
ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି । ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ।
ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣେଇଛନ୍ତି। ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଉ ନାହାଁନ୍ତି ପଦ୍ମ ଭୂଷଣ ଅଧିକାରୀ କବି ରମାକାନ୍ତ ରଥ