ନୂଆଦିଲ୍ଲୀ: ଦୀର୍ଘ ନଅ ମାସ ହେବ ଅନ୍ତରୀକ୍ଷରେ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମସଙ୍କ ପୃଥିବୀ ପୃଷ୍ଠକୁ ଫେରିବା ନେଇ ଆଶା ଉଜ୍ଜୀବିତ ହୋଇଛନ୍ତି । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଏହା ସହିତ ଦିନ ଏବଂ ସମୟ ମଧ୍ୟ ସ୍ଥିର ହୋଇସାରିଛି । ଏ ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।
ନାସାର ସୂଚନା ମୁତାବକ, ସୁନୀତା ୱିଲିୟମସ୍ ଏବଂ ତାଙ୍କ ବନ୍ଧୁ ବୁଚ୍ ୱିଲମୋରଙ୍କୁ ପୃଥିବୀକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୯ ମାର୍ଚ୍ଚ ବୁଧବାର ୩ଟା ୩୦ ସମୟରେ ସୁନୀତା ପୃଥିବୀରେ ପହଁଚିବାର ସମ୍ଭାବନା ରହିଛି । ମାର୍ଚ୍ଚ ୧୭, ସୋମବାର ରାତି ୧୦:୪୫ ବା ଭାରତୀୟ ସମୟ ସକାଳ ୮ଟା ୧୫ରେ ଅନ୍ତରୀକ୍ଷ ଯାନର ହ୍ୟାଚ୍ କ୍ଲୋଜର ପ୍ରସ୍ତୁତି ସହିତ ଆରମ୍ଭ ହେବ । ୧୮ ମାର୍ଚ୍ଚ, ମଙ୍ଗଳବାର ଦିନ ଅପରାହ୍ନ ୫.୫୭ରେ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବେ । ଯାହାର ସିଧା ପ୍ରସାରଣ କରିବ ନାସା ।
୧୪ ମାର୍ଚ୍ଚ, ଶୁକ୍ରବାର କ୍ର୍ୟୁ-୧୦ ମିଶନ୍ ଲଞ୍ଚ କରାଯାଇଥିଲା । ଫୋଲକନ୍-୯ ରକେଟରୁ କ୍ର୍ୟୁ ଡ୍ରାଗନ୍ କ୍ୟାପସୁଲକୁ ଲଞ୍ଚ କରାଯାଇଥିଲା । ଏହି କ୍ୟାପସୁଲ ସାହାଯ୍ୟରେ ସୁନୀତା ଏବଂ ବୁଚ୍ ଫେରିବେ । ଗତ ବର୍ଷ ଜୁନ ୫ ତାରିଖରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଯାଇଥିଲେ । ସେ ମାତ୍ର ଏକ ସପ୍ତାହ ପରେ ପ୍ରତ୍ୟାବର୍ତ୍ତନ କରିବାର ଥିଲା । କିନ୍ତୁ ଷ୍ଟାରଲାଇନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସେମାନେ ସେଠାରେ ଫସି ରହିଥିଲେ । ଫଳରେ ୯ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସେମାନେ ସେଠାରେ ରହିଥିଲେ । ସୁନୀତା ମହାକାଶରେ ରହି ଅନେକ ଅନୁସନ୍ଧାନ କରିଛନ୍ତି । ପ୍ରାୟ ୯୦୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ସେ ରିସର୍ଚ୍ଚ କରିଛନ୍ତି । ଏହା ସହିତ ମହାକାଶରେ ମଧ୍ୟ ସଫେଇ କାର୍ୟ୍ୟକ୍ରମ କରିଛନ୍ତି । ସେଠାରେ ଥିବା ପର୍ୟ୍ୟବସ୍ତୁକୁ ପୃଥିବୀକୁ ପଠାଇଥିଲେ ।