ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ଇହଲୀଳା ସମ୍ବରଣ କରିଛନ୍ତି । ଡାକ୍ତର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି । ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯେତେବେଳେ ଭାରତୀୟ ଜନତା ପାର୍ଟିରେ ଲୋକ ଆସିବା ପାଇଁ ଡରୁଥିଲେ, ଘରୁ ବାହାରୁ ନଥିଲେ, ସେହି ସମୟରୁ ଓଡ଼ିଶା ବିଜେପିକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ସେ ଆହୁରି କହିଛନ୍ତି, ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଓଡିଶା ବିଜେପି ପାଇଁ ଉତ୍ସର୍ଗୀକୃତ ଜୀବନ ଆମ ପାଇଁ ପ୍ରେରଣାର ଉତ୍ସ । ପ୍ରତିକୂଳ ପରିସ୍ଥିତିରେ ରାଷ୍ଟ୍ରୀୟ ହିତ ପାଇଁ ହାର ନମାନି ଓଡିଶାରେ ବିଜେପିର ମୂଳଦୁଆର ଫଳ ସ୍ୱରୂପ ଆଜି ଓଡିଶାରେ ବିଜେପି ସରକାର ଗଠନ କରିପାରିଛି ।
ଅନ୍ୟପକ୍ଷରେ କନକ ବର୍ଦ୍ଧନ ସିଂହଦେଓ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ, ସୁଦକ୍ଷ ସାଙ୍ଗଠନିକ କାର୍ଯ୍ୟଶୈଳୀ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଭୂପୃଷ୍ଠ ପରିବହନ, କୃଷି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ଦେଶ ତଥା ରାଜ୍ୟର ବିକାଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।