ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁହାରୀ ଶୁଣିବା କ୍ଷଣି ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୁଣି ଜଣେ ପିଲାର ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ନାବାଳକକୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାର ଅଷ୍ଟମଥର ପାଇଁ ଖୋଲିଛି । ଆଜି ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ । ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏକମାସ ଚିକିତ୍ସା ହୋଇ ଫେରିବା ପରେ ସେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ସହାୟତା ପାଇଁ ଦେଖା କଲେ । Single Window Systemରେ ଚିକିତ୍ସା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ତ୍ୱରିତ ସହାୟତା ଅନୁମୋଦନ କରି ତୁରନ୍ତ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ । ଏଥି ସହିତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଘର ଯୋଗାଇ ଦିଆଯିବ ।
ଅନ୍ୟପକ୍ଷରେ ହେରମ୍ବ ଗିରି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ଯେଉଁ ଆଶା ନେଇ ଆସିଥିଲି ସେହି ଆଶା ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଋଣ ମୁଁ କେବେ ଶୁଝି ପାରିବି ନାହିଁ ।
ସେହିପରି ଆଉ ଜଣେ ଥିଲେ ବଲାଙ୍ଗୀରର ରତନ କାଲଶେ । ତାଙ୍କ ୧୬ ବର୍ଷର ଭିନ୍ନକ୍ଷମ ପୁଅ ଆଲୋକ କାଲଶେକୁ ସାଙ୍ଗରେ ନେଇ ଆସିଥିଲେ । ପିଲାଟି ବସି ପାରୁନି କି ଚାଲିବୁଲି ପାରୁନି । ପିଲାର କଷ୍ଟ ଓ ତା ବାପା ମୁହଁର ଦୁଃଖ ଦେଖି ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିଲେ, ଏବଂ ସି.ଏମ୍.ଆର୍.ଏଫ୍.ରୁ ସହାୟତା ପ୍ରଦାନ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହିଭଳି ଅଭିଯୋଗ ପ୍ରକୋଷ୍ଠକୁ ବିଭିନ୍ନ ଆଶା ଭରସା ନେଇ ଆସୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ତାଙ୍କ ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ, ସେଠାରେ ମଧ୍ୟ ସମାଧାନ ହେଉଛି । ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଷ୍ଟମ ପାଳିରେ ୧୦୦୦ରୁ ଉର୍ଦ୍ଧ୍ୱ ଦରଖାସ୍ତ ଆସିଥିବାବେଳେ ୭୦୦ଟିର ସମାଧାନ ହୋଇଛି । ୮୦୩୧ଟି ଦରଖାସ୍ତ ଆସିଥିବାବେଳେ ୬୫୪୫ଟି ଦରଖାସ୍ତର ସମାଧାନ ହୋଇଛି । ଗତ ବର୍ଷ ଜୁଲାଇ ୧ରେ ୧୪୨୦ଟି ଅଭିଯୋଗ ହୋଇଥିବାବେଳେ ୧୨୮୦ଟି ଅର୍ଥାତ ୯୦ % ଦରଖାସ୍ତର ଶୁଣାଣି ଶେଷ ହୋଇଛି । ସେହିପରି ଜୁଲାଇ ୧୫ରେ ୮୮%, ଅଗଷ୍ଟ ୫ରେ ୮୬%, ସେପ୍ଟେମ୍ବର ୨୩ରେ ୮୪%, ଅକ୍ଟୋବର ୨୧ରେ ୮୩ %, ଡିସେମ୍ବର ୧୬ରେ ୫୪ % ଏବଂ ଡିସେମ୍ବର ୩୦ରେ ୪୭% ଅଭିଯୋଗର ସମାଧାନ ହୋଇଛି ।