କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ପରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୋର୍ଡ ଉପସଭାପତିଙ୍କୁ ନିଲମ୍ବନ କରିଛନ୍ତି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଆଜି ଗଣ ଶିକ୍ଷା ବିଭାଗ କଳାହାଣ୍ଡି ସଦର ବ୍ଲକ୍ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ମଧ୍ୟ ନିଲମ୍ବନ କରିଛି ।
ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ୮ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ସହିତ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର୍ ନିହାର ରଞ୍ଜନ ମହାନ୍ତି ଗିରଫ ହୋଇଛନ୍ତି । ଉପସଭାପତିଙ୍କ ଲାପଟପରୁ ହିଁ ପ୍ରଶ୍ନ ପତ୍ର ଚୋରି କରିଥିଲା ଡାଟା ଏଣ୍ଟ୍ରି ଅପରେଟର୍ । ଅନ୍ୟ ଅଭିଯୁକ୍ତ ହେଲେ ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ, କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ବର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର । ସେହିପରି ଗତ ରବିବାର କ୍ରାଇମବ୍ରାଞ୍ଚ କଳାହାଣ୍ଡି ଭେଜିପଦାର ହାଇସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କୁ ଗିରଫ କରିଥିଲା ।