ଭୁବନେଶ୍ୱର: ଭୁବନେଶ୍ୱର ଡାକ ମଣ୍ଡଳ ତଥା ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ସମସ୍ତ ଡାକଘର ଆସନ୍ତା ଅଗଷ୍ଟ ୨ (ଶନିବାର) ଦିନ ବନ୍ଦ ରହିବ । ବୈଷୟିକ କାରଣରୁ ଡାକଘର ବନ୍ଦ ରହିବ ବୋଲି ଭୁବନେଶ୍ଵର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ ସୂଚନା ଦେଇଛନ୍ତି ।
ପାଢ଼ୀଙ୍କ ସୂଚନା ଅନୁସାରେ ଡାକ ବିଭାଗରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଏସ୍.ଏ.ପି (ସାପ୍) ସଫ୍ଟୱେୟାର୍ ବଦଳରେ ନିଜସ୍ଵ ନିର୍ମିତ ଏ.ପି.ଟି.-୨.୦ ସଫ୍ଟୱେୟାର୍ ପ୍ରଚଳିତ ହେବାକୁ ଯାଉଛି । ଏହି ସଫ୍ଟୱେୟାର୍ ଆରମ୍ଭ ପାଇଁ ଭୁବନେଶ୍ଵର ଡାକ ମଣ୍ଡଳ ତଥା ଖୋର୍ଦ୍ଧା ଜିଲ୍ଲା ଅଧନସ୍ଥ ସମସ୍ତ ଡାକଘରେ ଆସନ୍ତା ମାସରୁ ପ୍ରଚଳିତ ହେବ । ଏହି ସଫ୍ଟୱେୟାର୍ ପ୍ରଚଳନ ଦ୍ୱାରା ଡାକସେବା ଅଧିକ ତ୍ଵରାନ୍ଵିତ ହେବା ସଙ୍ଗେ ସଙ୍ଗେ ନେଟୱାର୍କ୍ ଜନିତ ସମସ୍ୟା ପ୍ରଭୃତି ସହଜ, ସରଳ ତଥା ତତକ୍ଷଣାତ୍ ସମାଧାନ କରିହେବ । ଏ.ପି.ଟି. ଟି.-୨.୦ ସଫ୍ଟୱେୟାର୍ ପ୍ରଚଳନ ସକାଶେ ଭୁବନେଶ୍ଵର ଡାକ ମଣ୍ଡଳର ସବୁ ପ୍ରାକ୍ ପ୍ରସ୍ତୁତି ସରି ଯାଇଥିବା ବେଳେ ଆସନ୍ତା ୪ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡାକଘରେ ଏ.ପି.ଟି.-୨.୦ ସଫ୍ଟୱେୟାର୍ କାର୍ଯ୍ୟକ୍ଷମ ହେବ । ତେଣୁ ବୈଷୟିକ କାମ ଯୋଗୁଁ ଆସନ୍ତା ଶନିବାର ସମସ୍ତ ଡାକଘର ବନ୍ଦ ରହିବ ।