ନୂଆଦିଲ୍ଲୀ: ଦେଶ ବାହାରେ ବେଆଇନ ଭାବରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଦିନକୁ ଦିନ ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଆମେରିକା ପରେ ଏବେ ବ୍ରିଟେନ ସରକାର ମଧ୍ୟ ଅବୈଧଭାବରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଉପରେ କଠୋର ହୋଇଛି । ସେଠାକାର ସରକାର ପ୍ରବାସୀ ଭାରତୀୟଙ୍କ ପାଇଁ ଶକ୍ତ ମନୋଭାବ ପୋଷଣ କରିଛି ।
ବ୍ରିଟେନ୍ ସରକାର ବିଭିନ୍ନ ସ୍ଥାନରେ କାମ କରୁଥିବା ପ୍ରବାସୀ ଭାରତୀୟଙ୍କୁ ଖୋଜି ବାହାର କରିଛି । ବସ୍ ଠାରୁ ନେଇ ହୋଟେଲ୍ ପର୍ଯ୍ୟନ୍ତ ଯେଉଁଠାରେ ଅବୈଧ ଭାବରେ ଭାରତୀୟ ରହୁଛନ୍ତି ଚଢ଼ଉ କରାଯାଇଛି । ପ୍ରାୟ ୮୨୮ଟି ସ୍ଥାନରେ ଚଢ଼ଉ କରି ୬୦୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ବ୍ରିଟେନ୍ ସରକାର ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଇମ୍ବରସାଇଡରେ ଏକ ଭାରତୀୟ ରେସ୍ତୋରାଁରେ ୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୪ ଜଣଙ୍କୁ ହେପାଜତରେ ନେଇଛି ବ୍ରିଟେନ୍ ପୋଲିସ । ଏ ନେଇ ସେଠାକର ଗୃହ ସଚିବ ସୂଚନା ଦେଇଛନ୍ତି ।
ବ୍ରିଟେନରେ ଲେବର ପାର୍ଟି କ୍ଷମତାକୁ ଆସିବା ପରଠାରୁ ଏପର୍ଯ୍ୟନ୍ତ ୧୯ ହଜାର ଅବୈଧ ପ୍ରବାସୀ ଏବଂ ଅପରାଧୀଙ୍କୁ ଦେଶରୁ ବିତାଡ଼ିତ କରାଯାଇଛି । ବ୍ରିଟିଶ ଗୃହମନ୍ତ୍ରୀ ୱେଟ୍ କୁପର୍ କହିଛନ୍ତି ଯେ ୨୦୨୪ରେ ଆମ ସରକାର କ୍ଷମତାକୁ ଆସିବା ପରଠାରୁ ଏପର୍ଯ୍ୟନ୍ତ ୧୯ ହଜାର ଲୋକଙ୍କୁ ନିର୍ବାସିତ କରାଯାଇଛି ।
ଅଧିକ ପଢ଼ନ୍ତୁ:-ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ବାଇକ ଓ କାର ଧକ୍କାରେ ୩ ମୃତ, ଅନ୍ୟପକ୍ଷରେ ଘର ଭିତରେ ପଶିଗଲା BMW କାର୍
ନିକଟରେ ଆମେରିକା ସରକାର ୧୦୪ ଜଣ ଭାରତୀୟଙ୍କୁ ଭାରତ ପଠାଇଥିଲା । ସମସ୍ତଙ୍କ ହାତ ଗୋଡ଼ରେ ବେଡ଼ି ପକାଇ ସ୍ୱତନ୍ତ୍ର ବାୟୁସେନା ବିମାନରେ ପଠା ଯାଇଥିଲା । ଏହା ପରେ ଦେଶରେ ଅନେକ ସମାଲୋଚନା କରାଯାଇଥିଲା । ଏହାକୁ ନେଇ ସଂସଦ ବଜେଟ୍ ଅଧିବେଶନରେ ମଧ୍ୟ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର ଏ ନେଇ ଉତ୍ତର ମଧ୍ୟ ରଖିଥିଲେ ।