ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା ହୋଇଛି । ଏକ ବାଇକ ଏବଂ କାର୍ ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଶାସ୍ତ୍ରୀ ନଗର ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ବିଏମଡବ୍ଲ୍ୟୁ କାର୍ ବ୍ୟାରିକେଡ୍ ଭାଙ୍ଗି ଜଣଙ୍କ ଘର ଭିତରକୁ ମାଡ଼ି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି ।
ଗତକାଲି ରାତିରେ ପୁରୀ ବାଇପାସ୍ ରୋଡ୍ ଟଙ୍କପାଣି ନିକଟସ୍ଥ ସାଇ ମନ୍ଦିର ନିକଟରେ ଏକ ବାଇକୁ କାର୍ ଧକ୍କା ଦେଇଥିଲା । ବାଇକଟି ରଙ୍ଗ୍ ରୁଟ୍ ରେ ଆସୁଥିବାବେଳେ କାରଟି ବାଇକ୍ ଧକ୍କା ଦେଇଥିଲା । କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ବାଇକ ସହ ପିଟି ହୋଇଥିଲା । ଫଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମସ୍ତ ମୃତକମାନେ ଶ୍ରମିକ ଶ୍ରେଣୀର ହୋଇଥିବାବେଳେ ଜିଜିପି କଲୋନୀରେ ଭଡ଼ାରେ ରହୁଥିଲେ । ସେମାନେ ସମସ୍ତେ ରାଜ୍ୟ ବାହାର ହୋଇଥିବା ଜଣାପଡ଼ିଛି । ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ ।
ବଡ଼ଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସତ୍ୟପ୍ରକାଶ ନାମକ କାର ମାଲିକଙ୍କୁ ଅଟକ ରଖାଯାଇଛି । ପୋଲିସ ମୃତ ଦେହ ଗୁଡ଼ିକୁ ଜବତ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଶାସ୍ତ୍ରୀ ନଗର ଅଞ୍ଚଳରେ ରେଡ଼ କ୍ରସ ଭବନ ଆଡ଼ୁ ଦ୍ରୁତ ଗତିରେ ଆସୁଥିବା ଏକ ବିଏମଡବ୍ଲ୍ୟୁ କାର (OD02CZ9532) ରମା ସାହୁ ନାମକ ମହିଳାଙ୍କ ଘର ଭିତରକୁ ପଶି ଆସିଥିଲା । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । କାରରେ ଥିବା ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ଜଣାପଡ଼ିଛି । ପୋଲିସ କାରକୁ ଜବତ କରିଛି ।
ଅଧିକ ପଢ଼ନ୍ତୁ- ପ୍ରୟାଗରାଜ ମହାକୁମ୍ଭ: ପ୍ରବଳ ଟ୍ରାଫିକ୍ ଜାମ୍ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ନେଲେ ଦାୟିତ୍ୱ