ଲକ୍ଷ୍ନୌ: ମହାକୁମ୍ଭରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ସୁରୁଖୁରୁରେ ଟ୍ରାଫିକ୍ ପରିଚାଳନା ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ମହାକୁମ୍ଭକୁ ଯାଉଥିବା ରାସ୍ତାରେ ଯାତାୟାତ ବନ୍ଦ କରାଯିବା ଉଚିତ୍ ନୁହେଁ। କେବଳ ନିର୍ଦ୍ଦିଷ୍ଟ ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରାଯିବା ଉଚିତ। ଯୋଗୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ କରି ଅଧିକାରୀମାନଙ୍କୁ କହିଛନ୍ତି ଯେ ଲୋକମାନେ ସବୁ ଦିଗରୁ ପ୍ରୟାଗରାଜରେ ପହଞ୍ଚୁଛନ୍ତି। ରାସ୍ତାରେ ଗାଡିର ଲାଇନ ନ ରହିବା ସହ ଟ୍ରାଫିକ ଜାମ୍ ହେବା ଉଚିତ ନୁହେଁ। ମାଘ ପୂର୍ଣ୍ଣିମା ସ୍ନାନ ସମୟରେ ବିଶେଷ ଯତ୍ନ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉତ୍ତମ ଟ୍ରାଫିକ୍ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ କାର୍ଯ୍ୟକାରୀ ହେବା ଦରକାର। ପ୍ରୟାଗରାଜ, କୌଶାମ୍ବି, କାନପୁର, ସୁଲତାନପୁର, ଆମେଠି, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ଜୌନପୁର, ଚିତ୍ରକୁଟ, ବାନ୍ଦା, ପ୍ରତାପଗଡ଼, ଭଦୋହି, ରାୟବରେଲି, ଗୋରଖପୁର, ମହୋବା ଓ ଲକ୍ଷ୍ନୌ ଭଳି ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ, ଡିଭିଜନାଲ କମିଶନର ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ହୋଇଥିଲେ।
ମାଘ ପୂର୍ଣ୍ଣିମାର ଅବସର ପାଖେଇ ଆସୁଛି ବୋଲି ସେ ଅଧିକାରୀମାନଙ୍କୁ କହିଥିଲେ। ଗତ ଏକ ସପ୍ତାହ ହେବ ପ୍ରୟାଗରାଜକୁ ସବୁ ଦିଗରୁ ଲୋକଙ୍କ ଆଗମନ ଦ୍ରୁତଗତିରେ ବୃଦ୍ଧି ପାଇଛି। ସାର୍ବଜନୀନ ପରିବହନ ବ୍ୟତୀତ ବହୁ ସଂଖ୍ୟକ ଲୋକ ଘରୋଇ ଗାଡ଼ିରେ ଆସୁଛନ୍ତି। ସ୍ନାନ ପର୍ବ ସମୟରେ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ପ୍ରୟାଗରାଜ ଉପକଣ୍ଠରେ ସ୍ଥାପିତ ପାର୍କିଂ ସୁବିଧାକୁ ପ୍ରଭାବଶାଳୀ ଭାବେ ପରିଚାଳନା ଜାରି ରଖିବାକୁ ସେ କହିଛନ୍ତି। ପାଞ୍ଚ ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ ଗାଡି ପାର୍କିଂ ବ୍ୟବସ୍ଥା ରହିଛି, ଏହାର ଉପଯୋଗ କରନ୍ତୁ। ଶିଶୁ, ମହିଳା ଓ ବୟସ୍କଙ୍କୁ ସହାୟତା କରନ୍ତୁ। ମେଳା ଅଞ୍ଚଳରେ ବେଆଇନ ଭାବେ କୌଣସି ଗାଡ଼ି ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଆବଶ୍ୟକ ଅନୁଯାୟୀ ଶଟଲ ବସ୍ ବ୍ୟବହାର କରନ୍ତୁ। ବସ୍ ସଂଖ୍ୟା ବଢ଼ାଇବା ଦରକାର। ପାର୍କିଂ ବ୍ୟବସ୍ଥା ପାଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରନ୍ତୁ। ଶ୍ରଦ୍ଧାଳୁଙ୍କ ସହ ସହଯୋଗପୂର୍ଣ୍ଣ ଆଚରଣ ହେବା ଦରକାର। ରାସ୍ତାରେ କୌଣସି ସ୍ଥାନରେ ଗାଡି ପାର୍କିଂ କରିବାକୁ ଦିଅନ୍ତୁ ନାହିଁ। ଯାନବାହନ ଚଳାଚଳ ନିରନ୍ତର ରହିବା ଦରକାର।
ପ୍ରୟାଗରାଜ ସହ ସୀମା ବଣ୍ଟନ କରୁଥିବା ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରୟାଗରାଜ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିବା ଉଚିତ ଏବଂ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ୍। ମେଳା ଅଞ୍ଚଳରେ ଭିଡ଼ର ଚାପ କୁ ରୋକିବା ପାଇଁ ଆବଶ୍ୟକ ଅନୁଯାୟୀ ବ୍ୟାରିକେଡିଂ କରାଯିବା ଉଚିତ୍। ଟୋଲ୍ ବାହାନାରେ ଟ୍ରାଫିକ୍ ଜାମ୍ ହେବା ଉଚିତ୍ ନୁହେଁ। ପ୍ରୟାଗରାଜର ସମସ୍ତ ରେଳ ଷ୍ଟେସନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଉପସ୍ଥିତି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏମାନେ ହେଉଛନ୍ତି ସ୍ନାନ ସାରି ଘରକୁ ଫେରୁଥିବା ଶ୍ରଦ୍ଧାଳୁ। ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳରେ ପହଂଚିବେ ତାହା ସୁନିଶ୍ଚିତ କରିବା ଆମର ଦାୟିତ୍ୱ। ଏଥିପାଇଁ ରେଳବାଇ ସହ ସମନ୍ୱୟ ରକ୍ଷା କରି କ୍ରମାଗତ ଭାବେ ଟ୍ରେନ୍ ଚଳାଚଳ କୁ ସୁନିଶ୍ଚିତ କରାଯାଉ। ପରିବହନ ନିଗମରୁ ଅତିରିକ୍ତ ବସ୍ ମଧ୍ୟ ନିୟୋଜିତ କରାଯାଉ।
ଅଧିକ ପଢ଼ନ୍ତୁ: ବାଂଲାଦେଶ ପୁସ୍ତକ ମେଳାରେ ଭଙ୍ଗାରୁଜା କଲେ ମଦ୍ରାସାର ଛାତ୍ରଛାତ୍ରୀ