ନୂଆଦିଲ୍ଲୀ : ଅଭିଭାବକଙ୍କୁ ନେଇ ବିବାଦୀୟ ଓ ଅଶ୍ଳୀଳ ଟିପ୍ପଣୀ କରିବା ପରେ ସୋସିଆଲ ମିଡିଆ ଇନଫ୍ଲୁଏଞ୍ଜର ରଣବୀର ଆହ୍ଲାବାଦିଆଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ମଙ୍ଗଳବାର ଅପରାହ୍ଣରେ ପୋଲିସର ଏକ ଦଳ ମୁମ୍ବାଇର ବରସୋଭା ସ୍ଥିତ ଘରେ ପହଞ୍ଚି ଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
ସୂଚନା ଅନୁଯାୟୀ, ପଡକାଷ୍ଟର ରଣବୀର ଘରେ ତଦନ୍ତକାରୀ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । କମେଡିୟାନ ସମୟ ରୈନାଙ୍କ ଅନଲାଇନ ଶୋ ସମୟରେ ରଣବୀର ଅଶ୍ଳୀଳ ଟିପ୍ପଣୀ କରିଥିଲେ । ଏହାକୁ ନେଇ ପୂରା ଦେଶରେ ଆକ୍ରୋଶର ମାହୋଲ ଦେଖିବାକୁ ମିଳିଛି. ଏପରିକି ରଣବୀର ଆହ୍ଲାବାଦିଆଙ୍କୁ ସଂସଦୀୟ କମିଟି ନୋଟିସ୍ ପଠାଇ ପାରେ । ଏମିତିରେ ତାଙ୍କ ମୁସ୍କିଲ ଆହୁରି ବଢିପାରେ ।
ବିବାଦୀୟ ଇଣ୍ଡିଆଜ ଗଟ୍ ଲାଟେଣ୍ଟର ପାଞ୍ଚ ଜଜଙ୍କ ବିରୋଧରେ କେସ ରୁଜୁ କରାଯାଇଛି । ଆଇଟିର ସଂସଦୀୟ କମିଟି ଏହି ସବୁ ପାଞ୍ଚ ଜଣଙ୍କୁ ନୋଟିସ ପଠାଇପାରେ । ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଗୁଞ୍ଜରିତ ହୋଇଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକଙ୍କ ଖୁବ୍ ଆକ୍ରୋଶ ଦେଖିବାକୁ ମିଳିଛି । ଭାରତୀୟ ସିନେ ୱାର୍କର୍ସ ଆସୋସିଏସନ ମଧ୍ୟ ଏହି ଶୋକୁ ନିନ୍ଦା କରିଛନ୍ତି ଏବଂ ଏହା ଉପରେ କଟକଣା ଲଗାଇବା ଉଚିତ୍ ।