ମୁମ୍ବାଇ: ଠକେଇ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ କୋର୍ଟରେ ହାଜର ହୋଇଛନ୍ତି । ଗିରଫ ପରୱାନା ଜାରି ହେବା ପରେ ସେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ହାଜର ହୋଇ ନିଜର ପକ୍ଷ ରଖିବା ସହିତ ପ୍ରମାଣ ଦାଖଲ କରିଛନ୍ତି ।
ସୋନୁ ସୁଦଙ୍କ ଓକିଲ ରିତେଶ ମହିନ୍ଦ୍ରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ସାକ୍ଷ୍ୟ ରେକର୍ଡ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଥିଲେ । ତଥାପି, ଅଭିଯୋଗକାରୀମାନେ ତାଙ୍କୁ ଶାରୀରିକ ଭାବରେ କୋର୍ଟକୁ ଡକାଯିବା ପାଇଁ ଦାବି କରୁଥିଲେ କିନ୍ତୁ ବିଚାରପତି ଏଥିରେ ରାଜି ହୋଇ ନଥିଲେ।
ସୋନୁ ନିଜ ବୟାନରେ ସ୍ପଷ୍ଟ କରିଛନ୍ତି ଯେ ରେଜେକା କଏନ୍ ନାମକ ମଲ୍ଟି-ଲେବଲ୍ ମାର୍କେଟିଂ କମ୍ପାନୀ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ନୁହଁନ୍ତି କିମ୍ବା କୌଣସି ପ୍ରଚାରମୂଳକ କାର୍ଯ୍ୟକଳାପରେ ସାମିଲ ନୁହନ୍ତି । ତାଙ୍କର ଉକ୍ତ କମ୍ପାନୀ ସହିତ କୌଣସି ସମ୍ପର୍କ ନାହିଁ ।
ସେ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରତିବର୍ଷ ଶହ ଶହ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ଏବଂ ହୁଏତ ରେଜେକା କଏନ୍ କମ୍ପାନୀ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବେ, କିନ୍ତୁ କମ୍ପାନୀ ସହିତ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ । ମାର୍ଚ୍ଚ ୨୦ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ ।
ପ୍ରକାଶ ଯୋଗ୍ୟ, କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ହାଜର ନ ହେବା ପାଇଁ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମଣପ୍ରୀତ କୌର ସୋନୁ ସୁଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ । ଏହି ମାମଲା ଲୁଧିଆନାର ଓକିଲ ରାଜେଶ ଖାନ୍ନାଙ୍କ ଦ୍ୱାରା ମୋହିତ ଶୁକ୍ଳାଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ସହିତ ଜଡିତ । ଅଭିଯୁକ୍ତମାନେ ନକଲି ରେଜେକା କଏନ୍ ଯୋଜନାରେ ନିବେଶ କରିବା ନାମରେ ଏହି ଠକେଇ କରିଥିଲେ । ଏହି ମାମଲାରେ, ଖାନ୍ନା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସାକ୍ଷୀ ଭାବରେ କୋର୍ଟକୁ ଡକିଥିଲେ । କିନ୍ତୁ, ବାରମ୍ବାର ସମନ ସତ୍ତ୍ୱେ ସେ ହାଜର ନହେବାରୁ, କୋର୍ଟ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ମୁମ୍ବାଇର ଓଶିୱାରା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।