ଦିଲ୍ଲୀରେ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଶନିବାର ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ଦିଲ୍ଲୀର ଏକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯାଇଥିଲା । ଲିଭର ସିରୋସିସରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଛି। ଏୟାରଲିଫଟ ପାଇଁ ଘରୋଇ ହସ୍ପିଟାଲ ପକ୍ଷରୁ ସମସ୍ତ ସହାୟତା କରାଯାଇଥିଲା ।
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ଦେହ ହଠାତ ଅସୁସ୍ଥ ହୋଇ ପଡିଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲା । ଏହି ଖବର ଜାଣିବା ପରେ ଫ୍ୟାନ୍ସ ସମେତ ଓଲିଉଡ଼ ଜଗତ ଚିନ୍ତିତ ଥିବା ବେଳେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।