ୱାଶିଂଟନ୍: ଆମେରିକରେ ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷମତା ଫେରିବା ପରେ ବାଂଲାଦେଶର ଅନ୍ତରୀଣ ସରାକରଙ୍କ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆମେରିକା ସରକର ବାଂଲାଦେଶକୁ ଦିଆଯାଉଥିବା ଆର୍ଥିକ ସହାୟତା ସ୍ଥଗିତ ରଖିଛି। ଫଳରେ ସେଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ଓ ଅନ୍ତର୍ଜାତୀୟ ସଂଗଠନ ଦ୍ବାରା ପରିଚାଳିତ ଯୋଜନା ସଂକଟ ସ୍ଥିତିରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଅର୍ଥବ୍ୟବସ୍ଥା ଓ ବେରୋଜଗାରଙ୍କ ଉପରେ ପଡ଼ିବ।
ହଠାତ୍ ଆମେରିକାରୁ ଆର୍ଥିକ ସହାୟତା କାହିଁକି ବନ୍ଦ କରାଗଲା, ତାହା ଗୁରୁତ୍ୱପୂର୍ଣ୍ଣ। ବାଂଲାଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନେଇ ଆମେରିକାର ଚିନ୍ତା ଭଳି ଏହାର ଅନେକ ପ୍ରମୁଖ କାରଣ ଥାଇପାରେ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ଆମେରିକା ପ୍ରଶାସନକୁ ଚିନ୍ତାରେ ପକାଇଥିଲା। ବାଂଲାଦେଶରେ ଚୀନ୍ରେ ବଢ଼ୁଥିବା ପୁଞ୍ଜିନିବେଶ ଓ ପ୍ରଭାବ ଆମେରିକାକୁ ସତର୍କ କରିଛି। ଆମେରିକା ଚାହୁଁନାହିଁ ଯେ ବାଂଲାଦେଶ ସମ୍ପୂର୍ଣ୍ଣ ଭାବେ ଚୀନ୍ର କୂଟନୈତିକ କବ୍ଜାରେ ଆସୁ।
ଆମେରିକାର ଟ୍ରମ୍ପ ପ୍ରଶାସନ ସବୁବେଳେ ନିଜର ‘ଆମେରିକା ଫାଷ୍ଟ’ ନୀତିକୁ ଗୁରୁତ୍ବ ଦେଇଥାଏ। ଏଥିରେ ବିଦେଶୀ ସହାୟତକୁ ହ୍ରାସ କରିବା ଗୁରୁତ୍ବପୂର୍ଣ୍ଣ ବିନ୍ଦୁ। ଆମେରିକୀୟ ସହାୟତା ବନ୍ଦ ହେବାର ସବୁଠାରୁ ବଡ଼ ପ୍ରଭାବ ସେଠାକାର ଯୁବ ଓ ସରକାରୀ ଅନୁଷ୍ଠାନ ଉପରେ ପଡ଼ିଛି। ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଡାଇରିଆ ଡିଜିଜ୍ ରିସର୍ଚ୍ଚ (ଆଇସିଡିଡିଆର, ବି) ଏହାର ୧୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି। ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସଏଆଇଡି) ସହାୟତାରେ ଏହି ସଂସ୍ଥା ପରିଚାଳିତ ହେଉଥିଲା, କିନ୍ତୁ ପାଣ୍ଠି ବନ୍ଦ ଥିବାରୁ ଏହାକୁ ଏହାର କର୍ମଚାରୀଙ୍କୁ ଛାଡିବାକୁ ପଡିଥିଲା।