କଟକ: ଯାହାର ଯେତେବେଳେ ଯିବାର ଥିବ ସିଏ ନିଶ୍ଚିତ ଯିବ । ଘର ଭିତରେ ଥିବାବେଳେ ନେଇଗଲା ଯମ । କଟକ ସହର ମଣି ସାହୁ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣକ ଘରେ ଉପରେ ଅନ୍ୟ ଜଣଙ୍କ ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ମଧ୍ୟ ରହିଛି । ମୃତକ ମାନେ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଶିଶୁ ପୁତ୍ର ଅବଦୁଲ ମୁଜାହିଦ୍ । ଅନ୍ୟ ୨ ଜଣ ଗୁରୁତର ଅଛନ୍ତି । ସେମାନେ ସମ୍ପର୍କରେ ବାପା, ପୁଅ ଏବଂ ନାତି ଥିଲେ ବୋଲି ମୃତଙ୍କ ପତ୍ନୀ କହିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସନ୍ଧ୍ୟା ସମୟରେ ମଣି ସାହୁ ଛକରେ ଏକ ତିନି ମହଲା କୋଠାର ବାଲକୋନୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । କୋଠା ପାର୍ଶ୍ୱରେ ଥିବା ଆଉ ଏକ ଆଜବେଷ୍ଟସ୍ ଘର ଉପରେ କଂକ୍ରିଟ୍ ଖଣ୍ଡ ପଡ଼ିଥିଲା । ଫଳରେ ଘରେ ଥିବା ତିନି ଜଣ ସଦସ୍ୟ ଅବଦୁଲ ଜମିଲ, ଅବଦୁଲ ଜାହିଦ ଓ ଶିଶୁ ପୁତ୍ର ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଏସସିବି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ସେ ଘରେ ୫ ଜଣ ସଦସ୍ୟ ଥିଲେ । ଅନ୍ୟ ୨ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସମସ୍ତ ଆସବାବ ପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।
ପ୍ରଶାସନିକ ଅବହେଳା ଦାୟୀ
ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘରଟି ଅନେକ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ଘର ଭାଙ୍ଗିବାକୁ ପ୍ରଶାସନ ନିକଟରେ ଆବେଦନ କରିଥିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଫଳରେ ଏଭଳି ଏକ ଅଘଟଣ ଘଟିଲା ବୋଲି କହିଛନ୍ତି ।