ନୂଆଦିଲ୍ଲୀ: ପାନ ମସଲା କମ୍ପାନୀ ପାଇଁ ବିଜ୍ଞାପନ କରି ଫସିଛନ୍ତି ବଲିଉଡ୍ ଦବଙ୍ଗ ଅଭିନେତା ସଲମାନ ଖାନ । ୪ ଲକ୍ଷ ଟଙ୍କାର କେଶର ୫ ଟଙ୍କିଆ ପ୍ୟାକେଟରେ କେମିତି ମିଳୁଛି ବୋଲି ଉଠିଛି ପ୍ରଶ୍ନ । ଏଭଳି ଭ୍ରମାତ୍ମକ ବିଜ୍ଞାପନ ପାଇଁ ରାଜସ୍ଥାନ କୋଟାର କଞ୍ଜ୍ୟୁମର୍ କୋର୍ଟ ସଲମାନଙ୍କୁ ନୋଟିସ୍ ଜାରି କରିଛନ୍ତି ।
କୋଟା ବାସିନ୍ଦା ଇନ୍ଦର ମୋହନ ସିଂହ ରାଜଶ୍ରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ‘କେଶର ଯୁକ୍ତ ଇଲାଇଚି’ ଏବଂ ‘କେଶର ଯୁକ୍ତ ପାନ ମସଲା’ ପାନ ମସଲାକୁ ନେଇ କଞ୍ଜ୍ୟୁମର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ରାଜଶ୍ରୀ କମ୍ପାନୀ ମାଲିକ ଏବଂ ବ୍ରାଣ୍ଡ୍ ଆମ୍ବାସଡର ସଲମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଉପଭୋକ୍ତାମାନଙ୍କୁ ଭ୍ରମିତ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଅଧିବକ୍ତା ଇନ୍ଦର ସିଂ ଆବେଦନରେ ଦର୍ଶାଇଛନ୍ତି ଯେ କମ୍ପାନୀର ଦାବି ସତ୍ୟ ନୁହେଁ । କାରଣ କେଶର ମୂଲ୍ୟ କିଲୋ ପ୍ରତି ୪ ଲକ୍ଷ ଟଙ୍କାରେ ମିଳୁଛି । କିନ୍ତୁ ୫ ଟଙ୍କାରେ ମିଳୁଥିବା ପାନ ମସଲାରେ କେମିତି କେଶର ରହୁଛି । କମ୍ପାନୀର ଏଭଳି ଦାବି ଯୁବବର୍ଗଙ୍କୁ ପାନ ମସଲା ଖାଇବାକୁ ପ୍ରୋତ୍ସାହିତ କରୁଛି । ଯାହା ମୁହଁରେ କର୍କଟ ରୋଗର ପ୍ରମୁଖ କାରଣ ଅଟେ ।
ଆବେଦନ ପରେ କୋଟା କଞ୍ଜ୍ୟୁମର୍ କୋର୍ଟ କମ୍ପାନୀ ଏବଂ ସଲମାନଙ୍କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି । ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ମିଡ଼ିଆ ରିପୋର୍ଟ ଅନୁସାରେ ସଲମାନ ଖାନ ଏହି କମ୍ପାନୀର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି । ସଲମାନ ଏଥିପାଇଁ ୪ କୋଟିରୁ ୧୦ କୋଟି ଟଙ୍କା ନେଉଛନ୍ତି ।