ଭୁୁବନେଶ୍ୱର: ଅଲିଉଡ ଜଗତରୁ ଆସିଛି ବଡ ଖବର । ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତମ ମହାନ୍ତି ଭେଣ୍ଟିଲେଟରେ ଥିବା ନେଇ ସୂଚନା ମିଳିଛି । ତେବେ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ସୂଚନା ଅନୁଯାୟୀ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ବାହାର ରାଜ୍ୟକୁ ନିଆଯାଇପାରେ । ବର୍ତ୍ତମାନ ପଟିଆ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି । ତାଙ୍କୁ ଆଜି ନିୟମିତ ଚେକଅପରେ ହସ୍ପିଟାଲ୍ ଅଣାଯାଇଥିଲା । କିନ୍ତୁ ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ନିକଟତମ ସଂପର୍କୀୟମାନେ କହିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା କୁହାଯାଇଛି । ତେବେ ମେଡିକାଲ୍ ପକ୍ଷରୁ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏ ପର୍ଯ୍ୟନ୍ତ ବୁଲେଟିନ ଜାରି କରାଯାଇ ନାହିଁ । ଯଦି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆଶାନୁରୂପ ସୁଧାର ଆସେ ତେବେ ଏଠି ରଖାଯାଇ ଚିକିତ୍ସା କରାଯିବ । ନଚେତ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ କିମ୍ବା ମୁମ୍ବାଇ ନିଆଯାଇପାରେ ବୋଲି ପରିବାରଙ୍କ ସହ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଆଲୋଚନା ଚାଲିଥିବା ଜଣା ଯାଇଛି ।
ସୂଚନା ଅନୁଯାୟୀ, ପୁଅ ବାବୁଶାନ ଏକ ଫିଲ୍ମର ସୁଟିଂ ପାଇଁ କେନ୍ଦୁଝରରେ ଥିବାରୁ ସେ ଅନୁପସ୍ଥିତ ଅଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ତାଙ୍କ ସହିତ ପତ୍ନୀ ଅପରାଜିତା ମହାନ୍ତି ଅଛନ୍ତି ।