ଭୁୁବନେଶ୍ୱର: ଗୁରୁତର ଅବସ୍ଥାରେ ରାଜଧାନୀର ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଭେଟେରାନ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି । ଅଧିକ ଚିକିତ୍ସା ପାଇଁ ଉତ୍ତମଙ୍କୁ ଦିଲ୍ଲୀ ନିଆଯାଇଛି । ଭୁୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଏହି ଖବର ଓଡିଆ ଚଳଚ୍ଚିତ୍ର ଜଗତକୁ ଦୁଃଖିତ କରିଛି ।
ସୂଚନା ଅନୁଯାୟୀ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ବାହାର ରାଜ୍ୟକୁ ନିଆଯାଇପାରେ । ବର୍ତ୍ତମାନ ପଟିଆ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ଆଜି ନିୟମିତ ଚେକଅପରେ ହସ୍ପିଟାଲ୍ ଅଣାଯାଇଥିଲା । କିନ୍ତୁ ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ନିକଟତମ ସଂପର୍କୀୟମାନେ କହିଥିଲେ ।
ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆଶାନୁରୂପ ସୁଧାର ନ ଆସିବାରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ପଠାଯାଇଥିବା ପରିବାରଙ୍କ ସହ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୁଅ ବାବୁଶାନ ଏକ ଫିଲ୍ମର ସୁଟିଂ ପାଇଁ କେନ୍ଦୁଝରରେ ଥିବାରୁ ସେ ଅନୁପସ୍ଥିତ ଥିଲେ । ବର୍ତ୍ତମାନ ହସ୍ପିଟାଲରେ ତାଙ୍କ ସହିତ ପତ୍ନୀ ଅପରାଜିତା ମହାନ୍ତି ଅଛନ୍ତି ।