ନବରଙ୍ଗପୁର: ଚିକିତ୍ସା ବିଜ୍ଞାନ ଯେତେ ଆଗକୁ ବଢିଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧାରୀ ମଧ୍ୟରେ ଏବେବି ଲୋକଙ୍କ ମାନସିକତା ଘର କରି ରହିଛି । ପିଲାର ଦେହ ଭଲ ନ ରହିବାରୁ ମାତ୍ର ଗୋଟିଏ ମାସ ହେବ ଜନ୍ମ ନେଇଥିବା ଶିଶୁକୁ ଦିଆଯାଇଛି ୪୦ରୁ ଅଧିକ ଚେଙ୍କ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ନବଜାତ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି । ତାକୁ ଉମରକୋଟ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲାରେ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅଧିନସ୍ଥ ଫୁଣ୍ଡେଲପାର ଗାଁର ସରୋଜ କୁମାର ନାୟକଙ୍କର ମାତ୍ର ଏକ ମାସ ହେବ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ୧୦ଦିନ ହେବ ତାର ଦେହ ଅସୁସ୍ଥ ରହୁଥିଲା । ପରିବାର ଲୋକ ଶିଶୁଟିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଚେଙ୍କ ଦେଇଥିଲେ । କିନ୍ତୁ ଦୁଇ ଦିନ ହେବ ତାର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ତାକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉମରକୋଟ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଶିଶୁର ମୁଣ୍ଡ ଏବଂ ପେଟରେ ୩୦ରୁ ୪୦ ଥର ଚେଙ୍କ ଦିଆଯାଇଛି । ତେବେ ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ସିଡିଏମ୍ଓ ଡାକ୍ତର ସନ୍ତୋଷ କୁମାର ପଣ୍ଡା । ତେବେ ଶିଶୁକୁ କିଏ ଚେଙ୍କ ଦେଲା ସେ ନେଇ ପରିବାର ଲୋକେ କିଛି କହୁ ନାହାଁନ୍ତି ।