ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଅସହ୍ୟ ତାପମାତ୍ରା ପାଇଁ ରାଜ୍ୟରେ ସ୍କୁଲ ଓ କଲେଜ ମଧ୍ୟ ଛୁଟି କରାଯାଇଛି । ଆଜିଠୁ ତାତିରୁ ଆଶ୍ବସ୍ତି ମିଳିପାରେ । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।
ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ହାଲକାରୁ ମଧ୍ୟମ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୭ ଜିଲ୍ଲା କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ଭଦ୍ରକକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୩୦-୪୦ କିମି ରହିପାରେ ବୋଲି ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । କାଳବୈଶାଖୀ ସମୟରେ ସତର୍କ ରହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି ।