ପୁରୀ : ପୁଣି ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ଶ୍ରୀମନ୍ଦିରର ଶୃଙ୍ଖଳା ଓ ସୁରକ୍ଷା ବଢାଇବାକୁ ନେଇ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଶ୍ରୀମନ୍ଦିରରେ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସାଷ୍ଟାଣ୍ଟ କମାଣ୍ଡାଣ୍ଟ। ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ତେବେ ଦିନକୁ ଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା ସରକାର ଓ ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ତେଣୁ ଭକ୍ତଙ୍କ ସୁରୁଖୁରୁରେ ଦର୍ଶନ ନିମନ୍ତେ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ। ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ। ଏପରିକି ରାଜ୍ୟ ଶସସ୍ତ୍ର କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ନିଯୁକ୍ତ ହେବ।