କଟକ: ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ନେଇ କୋର୍ଟ ଚାଲିଥିବା ମାମଲାରେ ବଡ଼ ରାୟ ପ୍ରକାଶ ପାଇଛି । ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ଅଭିଯୋଗରେ ଅନୁଭବଙ୍କୁ ଆଶ୍ୱସ୍ତି ମିଳିଛି । ବର୍ଷାଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାକୁ କଟକ ଏସଡିଜେଏମଙ୍କ ଅଦାଲତ ଖାରଜ କରିଛନ୍ତି । ବର୍ଷା ତାଙ୍କ ଅଭିଯୋଗରେ ନିର୍ଦ୍ଦିଷ୍ଟ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବର୍ଷାଙ୍କୁ ଅନୁଭବ କୌଣସି କ୍ଷତିପୂରଣ ଦେବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ବର୍ଷା ତାଙ୍କ ମୂଳ ଆବେଦନ ଏବଂ ପ୍ରମାଣ ସତ୍ୟପାଠରେ କେବଳ ସାଧାରଣ ଅଭିଯୋଗ ଉଠାଇଥିଲେ ଯେ, “ସେ ଶାଶୁଘର ପରିବାର ସହ ରହୁଥିବା ସମୟରେ ଅନୁଭବ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ।” ସେ ସତ୍ୟପାଠରେ ମଧ୍ୟ ଏହି ଅଭିଯୋଗକୁ ପୁନରାବୃତ୍ତି କରି କହିଥିଲେ ଯେ, “ଅନୁଭବ ମହାନ୍ତିଙ୍କ ପରିବାର ସଦସ୍ୟମାନେ ତାଙ୍କୁ ମାନସିକ, ଶାରୀରିକ ଏବଂ ଭାବାତ୍ମକ ନିର୍ଯାତନା ଦେଇଛନ୍ତି।” କିନ୍ତୁ ସେ ଏହି ନିର୍ଯାତନାର ସମ୍ମୁଖୀନ ହେବାର କୌଣସି ନିର୍ଦ୍ଦିଷ୍ଟ ଘଟଣା ବା ସମୟକୁ ଉଲ୍ଲେଖ କରିନଥିଲେ।
ଏହା ବ୍ୟତୀତ ତାଙ୍କୁ ମାସିକ ୫୦,୦୦୦ ଟଙ୍କା ଭରଣପୋଷଣ ଖର୍ଚ୍ଚ ସହିତ ମାସିକ ୨୦,୦୦୦ ଟଙ୍କା ଘର ଭଡ଼ା, ୧୩ କୋଟି ଟଙ୍କା କ୍ଷତିପୂରଣ ଓ ୨ କୋଟି ଟଙ୍କା ଚିକିତ୍ସା ଖର୍ଚ୍ଚ ଦେବାକୁ ଦାବି କରିଥିଲେ । କିନ୍ତୁ ବର୍ଷା ଏହି ଦାବିଗୁଡ଼ିକ ପାଇଁ ଆବଶ୍ୟକୀୟ ତଥ୍ୟ ବା ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି । ସେଥିପାଇଁ ବର୍ଷାଙ୍କୁ ଅନୁଭବ କୌଣସି କ୍ଷତିପୂରଣ ଦେବେ ନାହିଁ ବୋଲି କହିଛନ୍ତି କୋର୍ଟ । ଘରୋଇ ହିଂସା ସମ୍ପର୍କିତ ଆଇନର ଧାରା ୨(ଜି) ଏବଂ ଧାରା ୩ ଅନୁଯାୟୀ, ବର୍ଷା ଅନୁଭବ ମହାନ୍ତିଙ୍କ ଦ୍ୱାରା ଘରୋଇ ହିଂସା ହେବାର ପ୍ରମାଣ ଦେଇପାରିନାହାନ୍ତି । ଏହା ସହିତ, ସେ ବୈବାହିକ ଘର ଛାଡ଼ିବାର କାରଣ ମଧ୍ୟ ସ୍ପଷ୍ଟ କରିପାରିନାହାନ୍ତି। ଅଦାଲତର ଆଦେଶ ଅନୁସାରେ, ଏହି ମାମଲାଟିରେ କୌଣସି ଯୋଗ୍ୟତା ନଥିବା ଯୋଗୁଁ ଅନୁଭବ ମହାନ୍ତିଙ୍କ ବିରୋଧରେ ଆସିଥିବା ମାମଲାକୁ ଖାରଜ କରାଯାଇଛି ।