ଭୁବନେଶ୍ୱର: ପହଲଗାମ ଆକ୍ରମଣକୁ ନେଇ ବିଜେଡ଼ି ନେତ୍ରୀ ତଥା ରାଜ୍ୟ ସଭା ସାଂସଦ ସୁଲତା ଦେଓ ବିବାଦୀୟ ବୟାନ ଦେଇଛନ୍ତି । ଏତେ କମ୍ ସମୟ ମଧ୍ୟର ଧର୍ମ ପଚାରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଲତା । ଯାହାକୁ ତୀବ୍ର ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ବିବେକ ସହିତ ଖେଳନ୍ତି ସେମାନଙ୍କୁ ରାଜନୀତିରେ ରହିବାର କୌଣସି ଅଧିକାର ନାହିଁ କହିଛନ୍ତି ଆଇନମନ୍ତ୍ରୀ ।
ସାଂସଦ ସୁଲତା ଦେଓ କହିଛନ୍ତି, ଯେତିକି ସମୟରେ ମରିଲେ ସେତିକି ସମୟରେ ଧର୍ମ ପଚାରି ହେବ ନାହିଁ । ଏହା କେବଳ ଅନୁମାନ ଲଗାଇ କହିଥାଇ ପାରନ୍ତି । କୌଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା ନୁହେଁ ବୋଲି ବୟାନ ଦେଇଛନ୍ତି ସୁଲତା ଦେଓ ।
ବିଜେଡ଼ି ସାଂସଦଙ୍କ ଦାୟିତ୍ୱହୀନ ବୟାନ ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଜୟନାରାୟଣ ମିଶ୍ର କଡ଼ା ନିନ୍ଦା କରିଛନ୍ତି । ମଣିଷର ହୃଦୟକୁ ନେଇ ରାଜନୀତି କରାଯାଏ, କାହାର ଦୁଃଖ, କଷ୍ଟ ଏବଂ ବେଦନାକୁ ଉପହାସ ଯେଉଁମାନେ କରନ୍ତି ସେମାନେ ରାଜନୀତିରେ ରହିବା କଥା ନୁହେଁ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କେବଳ ଦେଶ ନୁହେଁ ସାରା ବିଶ୍ୱ ଦୋହଲି ଯାଇଛି । ଅମଣିଷଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି କଦର୍ଯ୍ୟ ଏବଂ କୁଶ୍ଚିତ କଥା କହୁଥିବା ଲୋକ, ତାଙ୍କ ଦଳ ଏବଂ ତାଙ୍କ ନେତା ଧନ୍ୟ । ଏଭଳି ନେତାକୁ ସବୁଦିନ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ । ସେହିପରି ଜୟ ନାରାୟଣ ମିଶ୍ର କହିଛନ୍ତି ଯୋଗ୍ୟତା ବଳରେ ନୁହେଁ, କେମିତି କଣ ପଦରେ ପହଞ୍ଚିଛନ୍ତି । ତାଙ୍କୁ ସାମାଜିକ ସ୍ତରରେ ବାସନ୍ଦ କରାଯିବା ଦରକାର ବୋଲି କହିଛନ୍ତି ଜୟ ।
ତେବେ ବିଜେଡ଼ି ନେତା ଦେବୀ ମିଶ୍ର କହିଛନ୍ତି, ସେମାନେ ଉପହାସ ହେବା ଯୋଗ୍ୟ । ଏହା ଆମ ସଂସ୍କୃତି ଶିକ୍ଷା ଦେଇ ନାହିଁ ବୋଲି କହିଛନ୍ତି ଦେବୀ ମିଶ୍ର ।