ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷର ଲମ୍ବା ବ୍ୟବଧାନ ପରେ ଅଲୌକିକ ଶକ୍ତିର କେନ୍ଦ୍ର କୈଳାସ ମାନସରୋବରକୁ ରାସ୍ତା ଫିଟିଛି । ପୁଣି ଥରେ ଆରମ୍ଭ ହେବ କୈଳାସ ମାନସରୋବରକୁ ଯାତ୍ରା । ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଭାରତ ଓ ଚୀନ ସୀମାରେ ଥିବା କୈଳାସ ମାନସରୋବରକୁ ଆସନ୍ତା ଜୁନ୍ ମାସରେ ଯାତ୍ରା ଆରମ୍ଭ ହେବ । ଏହା ଜୁନ ମାସରୁ ଅଗଷ୍ଟ ଯାଏଁ ଚାଲିବ । ଚୀନ ଓ ଭାରତ ମଧ୍ୟର ଲଦାଖ ସୀମାକୁ ନେଇ ଲାଗିଥିବା ବିବାଦର ଅନ୍ତ ପରେ ଏହି ନିଷ୍ପତ୍ତି ହୋଇଛି । ଏହି ଯାତ୍ରୀ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କରାଯାଇଥାଏ । କୈଳାସ ପର୍ବତ ଏବଂ ମାନସରୋବର ହ୍ରଦ ଚୀନର ତିବ୍ବତ ସ୍ୱାୟତ୍ତ ଅଞ୍ଚଳରେ ଅବସ୍ଥିତ । ଏହା ଉପରେ ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କର ଅଗାଧ ବିଶ୍ୱାସ ରହିଛି ।
ଚଳିତ ବର୍ଷ କୈଳାସ ମାନସରୋବରକୁ ଦୁଇଟି ପର୍ଯ୍ୟାୟରେ ଯାତ୍ରା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଥର ଯାତ୍ରା ଅନୁଷ୍ଠିତ ହେବ । ପ୍ରତି ବ୍ୟାଚରେ ୫୦ ଜଣ ଲେଖାଏଁ ତୀର୍ଥ ଯାତ୍ରୀ ରହିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୦ଟି ବ୍ୟାଚରେ ଯାତ୍ରା ହେବ । ଏଥିରେ ୫୦- ୫୦ ଲେଖାଏଁ ଯାତ୍ରୀ ରହିବ । ଏଠାକୁ ଯିବା ପାଇଁ ଦୁଇଟି ମାର୍ଗ ରହିଛି, ଯଥା ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ଏବଂ ସିକିମର ନାଥୁ ଲା ମାର୍ଗ । ଏହି ମାର୍ଗ ଦେଇ ଯାତ୍ରା ହେବ ।
୨୦୨୦ କୋଭିଡ୍ ମହାମାରୀ ପାଇଁ ପ୍ରଥମେ ଏହି ଯାତ୍ରା ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ଏଲଏସିରେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ପାଇଁ ଯାତ୍ରାକୁ ବନ୍ଦ ରଖାଯାଇଥିଲା । ଗତବର୍ଷ ଅକ୍ଟୋବର ୨୧ ରେ ଦୁଇ ଦେଶରେ ସେନା ମଧ୍ୟରେ ଏକ ଚକ୍ତି ହୋଇଥିଲା, ଉଭୟ ଡେମଚୋକ୍ ଏବଂ ଡେସପାଙ୍ଗରୁ ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତ ସମୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଚଳିତ ବର୍ଷ ଜାନୁୟାର ମାସରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ଆଲୋଚନା କରିଥିଲେ । ଏହା ପରେ ବିବାଦର କୈଳାସ ମାନସରୋବରକୁ ଯାତ୍ରାକ ବାଟ ଫିଟିଛି ।