ନୂଆଦିଲ୍ଲୀ: ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଭାରତୀୟ ଏୟାରଲାଇନ ପାଇଁ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ ଜାରି କରିଛି । ଏହି ଗାଇଡଲାଇନ ବିଶେଷ କରି ଉତ୍ତର ଭାରତ, ଦିଲ୍ଲୀରୁ ପାଶ୍ଚାତ୍ୟ ଦେଶ ଅଭିମୁଖେ ଉଡାଣ ଭରୁଥିବା ବିମାନ ପାଇଁ ଲାଗୁ ହେବ । ପାକିସ୍ତାନ ଦ୍ୱାରା ନିଜ ଏୟାରସ୍ପେସ ଭାରତ ପାଇଁ ବନ୍ଦ କରିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି । ଡିଜିସିଏ ଭାରତୀୟ ବିମାନ କମ୍ପାନିଗୁଡିକୁ ଯାତ୍ରୀଙ୍କ ପାଇଁ ଉଚିତ ଗମନାଗମନ ବ୍ୟବସ୍ଥା ଓ ଡଉଣା ସମୟରେ ଖାଦ୍ୟପେୟ ସେବା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛି ।
ପାକିସ୍ତାନ ଭାରତୀୟ ବିମାନ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କରିବା ପରେ ଏବେ ଅନ୍ତର୍ଜାତୀୟ ବିମାନ ଉଡାଣ ସମୟ ବଢିବା ସହ ଅଧିକ ଦୂର ଯାତ୍ରା କରିବାକୁ ପଡିବ । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଏୟାରଲାଇନଗୁଡିକୁ ଚେକ-ଇନ ସମୟରେ ଯାତ୍ରୀଙ୍କୁ ଉଡାଣ ମାର୍ଗ ପରିବର୍ତ୍ତନ, ଲମ୍ବା ଉଡାଣ ଅବଧି ଓ ରାସ୍ତାରେ ଇନ୍ଧନ ଭରିବା, ଚାଳକ ଦଳ ପରିବର୍ତ୍ତନ ଆଦି ବିଷୟରେ ଜଣାଇବାକୁ ପଡିବ । ଯାତ୍ରା ସମୟରେ ଯେଉଁ ବିମାନ ବନ୍ଦରରେ ବିମାନ ଇନ୍ଧନ ଭର୍ତ୍ତି କରିବ କିମ୍ବା ରୁଟ୍ ଡାଇଭର୍ଟ କରିବ ସେହି ସମୟରେ ଯାତ୍ରୀ ବିମାନରେ ରହିବେ । ଅର୍ଥାତ ନିଜର ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରୀମାନେ ବିମାନ ଭିତରେ ହିଁ ରହିବେ ।
ପହଲଗାମ ଆତଙ୍କୀ ହମଲା ପରେ ଭାରତର କଡା ପଦକ୍ଷେପ ପରେ ପାକିସ୍ତାନ ନିଜର ଆକାଶ ର୍ର୍କୁ ଭାରତୀୟ ବିମାନ ପାଇଁ ବନ୍ଦ କରି ଦେଇଛି । ଏହି କାରଣରୁ ଦିଲ୍ଲୀ, ଅମୃତସରକ, ଚଣ୍ଡିଗଡ ଓ ଲଖନଉରୁ ୟୁଏଇ, ମଧ୍ୟ ଏସିଆ, ପଶ୍ଚିମ ଏସିଆ, ୟୁରୋପ, ୟୁକେ ଓ ଉତ୍ତର ଆମେରିକା ଅଭିମୁଖେ ଯାତ୍ରା କରୁଥିବା ବିମାନକୁ ଏବେ ଅଧିକ ଉଡାଣ ଭାରିବାକୁ ପଡୁଛି । ଏବେ ଏହି ସବୁ ଉଡାଣ ମୁମ୍ବାଇ ଓ ଅହମ୍ମଦାବାଦରୁ ଆରବ ସାଗର ଉପର ଦେଇ ମସ୍କ ବିମାନ ବନ୍ଦରରେ ପହଞ୍ଚିବ । ସେଠାରେ ପୁଣି ବିମାନ ଗୁଡିକ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ । ଫଳରେ ଇନ୍ଧନ ଖର୍ଚ୍ଚ ବଢିବା ସହ ପାଇଲଟଙ୍କ ଖର୍ଚ୍ଚ ମଧ୍ୟ ବଢିବ । ପ୍ରଭାବରେ ବିମାନ ଟିକେଟ୍ ଦର ଆହୁରି ମହଙ୍ଗା ହୋଇପାରେ ।