ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ଆକ୍ସନରେ ମୋଡରେ ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଏହା ମଧ୍ୟରେ ଶୁକ୍ରବାର ରାତିରେ ସେନା ବଡ କାର୍ଯ୍ୟାନୁଷ୍ଠାନ ନେଇ ଲସ୍କର ଏ ତୋଇବା ସହ ଜଡିତ ସାତ ଆତଙ୍କବାଦୀଙ୍କ ଘର ଧ୍ୱସ୍ତ କରିଛନ୍ତି । ଏହି ଅଭି୍ାନ ଦକ୍ଷିଣ କାଶ୍ମୀରର ସୋପିଆନ, କୁଲଗାମ ଓ ପୁଲୱାମାରେ ଚଲା ଯାଇଛି ।
ସୂଚନା ଅନୁଯାୟୀ, ସୋପିଆନର ଛୋଟିପାରା ଗାଁରେ ଲସ୍କର କମାଣ୍ଡର ଶାହିଦ ଅହମ୍ମଦ କୁଟ୍ଟେଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଅଧିକାରୀଙ୍କ ମତରେ କୁଟ୍ଟେ ଗତ ୩-୪ ବର୍ଷ ଧରି ଆତଙ୍କବାଦୀ ଗତିବିଧିରେ ସକ୍ରିୟ ଥିଲା ଏବଂ ଅନେକ ଆକ୍ରମଣରେ ତାର ସଂପୃକ୍ତି ରହିଛି । ସେହିପରି କୁଲଗାମର ମତଲାମ ଇଲାକାରେ ସକ୍ରିୟ ଆତଙ୍କୀ ଜାହିଦ ଅହମ୍ମଦର ଘରକୁ ମଧ୍ୟ ଧ୍ୱଂସ କରାଯାଇଛି । ପୁଲୱାମାର ମୁରନ ଅଞ୍ଚଳରେ ଆତଙ୍କୀ ଅହସନ ଉଲ ହକର ଘରକୁ ବିସ୍ଫୋରକରେ ଉଡାଇ ଦିଆଯାଇଛି । ଅହସନ ୨୦୧୮ରେ ପାକିସ୍ତାନରେ ଆତଙ୍କୀ ପ୍ରଶିକ୍ଷଣ ନେଇଥିଲା ଏବଂ ନିକଟରେ ଘାଟିରେ ପୁଣି ଥରେ ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା ।
ଏହା ବ୍ୟତୀତ ଲସ୍କର ଆତଙ୍କୀ ଏହସାନ ଅହମ୍ମଦ ଶେଖର ଦୁଇ ମହଲା କୋଠାକୁ ମଧ୍ୟ ଧ୍ୱଂସ କରାଯାଇଛି । ସେ ୨୦୨୩ ଜୁନରେ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା । ହାରିସ ଅହମ୍ମଦର ଘରକୁ ମଧ୍ୟ ଉଡାଇ ଦିଆଯାଇଛି । ସେ ୨୦୨୩ରୁ ଆତଙ୍କବାଦୀ ଘଟଣାରେ ଲିପ୍ତ ଥିଲା । ପୁଲୱାମାର କୋଚିପୋରା ସ୍ଥିତ ଘରକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଏହା ପୂର୍ବରୁ ଗୁରୁବାର ରାତିରେ ପହଲଗାମ ହମଲାରେ ସାମିଲ ଆଦିଲ ହୁସେନ ଓ ଆସିକ ଶେଖର ଘରକୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦିଆଯାଇଛି । ସୂଚନା ଅନୁଯାୟୀ, ତା ଘରେ ବିସ୍ଫୋଟକ ସାମଗ୍ରୀ ରଖାଯାଇଥିଲା ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମର ବେସରନ ଉପତ୍ୟକାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ନୃଶଂସ ଆକ୍ରମଣ କରିଥିଲେ । ସେମାନେ ଧର୍ମ ପଚାରି ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏଥିରେ ଦୁଇ ଜଣ ବିଦେଶୀ ନାଗରିକ ବି ସାମିଲ ।