ଅହମ୍ମଦାବାଦ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଦେଶରେ ବାଂଲାଦେଶୀ ଅନୁପ୍ରବେଶକାରୀ ମଧ୍ୟ ଆଉ ଏକ ଚିନ୍ତାର କାରଣ ପାଲଟିଛନ୍ତି । ଗୁଜରାଟରେ ଶୁକ୍ରବାର ୫୦୦ରୁ ଉର୍ଦ୍ଧ୍ୱ ବାଂଲା ନାଗରିକଙ୍କୁ ଠାବ କରାଯାଇଛି । ଅହମ୍ମଦାବାଦରୁ ୪୫୦ ଧରା ପଡ଼ିଥିବାବେଳେ ସୁରଟରୁ ୧୦୦ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି ।
ଗୁଜରାଟର ଗୃହ ବିଭାଗ, ଡିଜିପି ଏବଂ ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ସ୍ପେଶାଲ୍ ଅପରେସନ୍ ଗ୍ରୁପ୍, କ୍ରାଇମ ବ୍ରାଞ୍ଚ, ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍ ଏବଂ ସ୍ଥାନୀୟ ପୋଲିସ ସହଯୋଗରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଛି । ସୁରଟ, ଅହମ୍ମଦାବାଦ, ଗାନ୍ଧି ନଗର ଆଦି ସହରେ ତଲାସୀ କରାଯାଇଛି । ପ୍ରାୟ ୫୫୦ ଜଣ ବାଂଲଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତେ ଜାଲ୍ କାଗଜପତ୍ରରେ ବିନା କୌଣସି ସରକାରୀ ଅନୁମତିରେ ରହୁଥିବା ଜଣାପଡ଼ିଛି ।
ସମସ୍ତ ଯାଞ୍ଚ ପରେ ଅଟକ ଥିବା ବାଂଲାଦେଶୀଙ୍କ ବହିଷ୍କାର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଏସଓଜିର ଉପାୟୁକ୍ତ ରାଜଦୀପ ସିଂହ ନକୁମ । ସେହିପରି ଅହମ୍ମଦାବାଦରେ ଭୋର ୩ଟା ସମୟରେ ଅପରେସନ କରାଯାଇଥିବା କହିଛନ୍ତି ଡିସିପି ଅଜିତ ରଜୈନ । ପ୍ରାୟ ୪୫୦ ବାଂଲାଦେଶୀ ନାଗରିକଙ୍କୁ ହେପାଜତରେ ନିଆଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସମସ୍ତ ରାଜ୍ୟ ସରକାର ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏହା ସହିତ ବାଂଲାଦେଶୀଙ୍କୁ ମଧ୍ୟ ତଡ଼ିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।