ନୂଆଦିଲ୍ଲୀ: ପହଲଗା ଆତଙ୍କୀ ହମଲା ପରେ ପଞ୍ଜାବ ସଂଲଗ୍ନ ଭାରତ-ପାକ ବର୍ଡରରେ ଆଲର୍ଟ ଜାରି କରାଯାଇଛି । ବିଏସଏଫ ସୁରକ୍ଷା କଡାକଡି କରି ଦେଇଛି । ପଞ୍ଜାବର ଅମୃତସର, ଫିରୋଜପୁର, ଗୁରଦାସପୁର, ପଠାନକୋଟ ଜିଲ୍ଲା ପାକିସ୍ତାନ ସୀମା ସହ ସଂଲଗ୍ନ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ବଢିଥିବା ତିକ୍ତତା କାରଣରୁ ବିଏସଏଫ ପଞ୍ଜାବ ସୀମାବର୍ତ୍ତୀ କୃଷକମାନଙ୍କ ପାଇଁ ଆଦେଶ ଜାରି କରାଯାଇଛି । କୃଷକମାନଙ୍କୁ ତାରବନ୍ଦୀ ଅପରପାଶ୍ୱର୍ରେ ବୁଣା ଯାଇଥିବା ଗହମର ଫସଲ ଦୁଇ ଭିତରେ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗୁରଦାସପୁରରେ ମଧ୍ୟ ଘୋଷଣା କରାଯାଇଛି ଯେ, ଯଦି କୃଷକମାନେ ନିର୍ଦ୍ଧାରିତ ସମୟରେ ଫସଲ ନ କାଟନ୍ତି ତେବେ ଗେଟ୍ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ । ଏଥିପାଇଁ କୃଷକଙ୍କୁ ୪୮ ଘଣ୍ଟା ଭିତରେ ନିଜର ଫସଲ କାଟି ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏସଏଫ ପକ୍ଷରୁ ଏହି ଆଦେଶ ମିଳିବା ପରେ କୃଷକମାନେ ନିଜର ଫସଲ ଯୁଦ୍ଧକାଳୀନ ଭିତ୍ତିରେ କାଟିବା ଆରମ୍ଭ କରି ଦେଇଛନ୍ତି । କୃଷକମାନେ କମ୍ବାଇ ଧରି ଗହମ କଟାରେ ଜୁଟି ଯାଇଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ କୃଷକମାନଙ୍କୁ ସ୍ୱତନ୍ତ୍ର ଅନୁମତି ଆଧାରରେ ଚାଷ କରିବାକୁ ଅନୁମତି ଦିଆଯାଇଥାଏ ।
ପଞ୍ଜାବର ପଠାନକୋଟଠୁ ନେଇ ଫାଜିଲକା ପର୍ଯ୍ୟନ୍ତ ୫୫୩ କିଲୋମିଟର ଲମ୍ବା ସୀମାରେ ସେନାର ଗତିବିଧି ଅଚାନକ ବଢି ଯାଇଛି । ବିଏସଏଫ ଯବାନଙ୍କ ପକ୍ଷରୁ ବର୍ଡର ସହିତ ସଂଲଗ୍ନ ଗାଁ ଗୁଡିକରେ ପାଟ୍ରୋଲିଂ ଜୋରଦାର କରାଯାଇଛି । ଏଥିସହିତ ଘୋଷଣା କରାଯାଇଛି ଯେ, ଗାଁ ଲୋକେ ଯଦି କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି ଦେଖନ୍ତି ତେବେ ତୁରନ୍ତ ବିଏସଏଫ ଯବାନଙ୍କୁ ସୂଚିତ କରାଇବାକୁ କୁହାଯାଇଛି । ଗାଁ ଲୋକଙ୍କୁ ସଂପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ କୁହାଯାଇଛି । ବିଏସଏଫ ନିଜର କ୍ୱିକ୍ ରିଆକ୍ସନ ଟିମକୁ ମଧ୍ୟ ସକ୍ରିୟ କରି ଦେଇଛି । ବର୍ଡରରେ କୌଣସି ପ୍ରକାରର ହଲଚଲ ଦେଖାଗଲେ ତୁରନ୍ତ ଗୁଳି କରିବାକୁ ଆଦେଶ ଜାରି କରାଯାଇଛି ।