ନୂଆଦିଲ୍ଲୀ: ଏପ୍ରିଲ ୨୫ ତାରିଖ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ୍ ୨୦୨୫ର ପ୍ଲେ ଅଫରେ ପହଞ୍ଚିବାର ଆଶାକୁ ବଡ ଝଟକା ଲାଗିିଛି । ଚଳିତ ସିଜିନରେ ଚେନ୍ନାଇକୁ ସପ୍ତମ ପରାଜୟ ମିଳିଛି । ଦଳକୁ ଏବେ ଆଉ ପାଞ୍ଚଟି ମ୍ୟାଚ୍ ଖେଳିବା ବାକି ରହିଛି । ଏହି ପାଞ୍ଚଟି ମ୍ୟାଚରୁ ଯଦି ଚେନ୍ନାଇ ଗୋଟିଏ ବି ହାରେ ତେବେ ଦଳ ପ୍ଲେ ଅଫ ଡୌଡରୁ ବାଦ୍ ପଡିବ । ଯଦି ସବୁ ମ୍ୟାଚ୍ ଜିତେ ତେବେ ଦଳର ପ୍ଲେ ଅଫ ଆଶା ଉଜ୍ଜୀବିତ ରହିବ ସେ ପୁଣି ଅନ୍ୟ ଦଳ ପ୍ରଦର୍ଶନ ଉପରେ । ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ।
ଚେନ୍ନାଇ ୯ଟି ମ୍ୟାଚରୁ ୭ଟି ହାରିବା ପରେ ବି ସଂପୂର୍ଣ୍ଣ ଭାବେ ପ୍ଲେ ଅଫ ଦୌଡରୁ ବାଦ୍ ପଡିନି । ଏବେ ଦଳର ଗୋଟିଏ ଆଶା ଉଜ୍ଜୀବିତ ରହିଛି । ଏଥିପାଇଁ ଦଳକୁ ସବୁ ମ୍ୟାଚ୍ ଜିତି ୧୪ ଅଙ୍କ ହାସଲ କରିବାକୁ ପଡିବ । କିନ୍ତୁ ଦଳର ବର୍ତ୍ତମାନ ଫର୍ମକୁ ଦେଖିଲେ ଏହା ଅସମ୍ଭବ ଲାଗୁଛି । ଅନ୍ୟପଟେ ସବୁ ୫ ମ୍ୟାଚ୍ ଜିତିଲେ ବି ଚେନ୍ନାଇ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । କାରଣ ଦଳର ରେନଟ ରନ ରେଟ୍ ମାଇନସ ରହିଛି । ତେଣୁ ଦଳ କେବଳ ମ୍ୟାଚ୍ ଜିତିଲେ ହେବ ନାହିଁ । ବଡ ବ୍ୟବଧାନରେ ବିପକ୍ଷ ଦଳକୁ ପରାଜିତ କରିବାକୁ ପଡିବ । ଏହା ବାଦ୍ ଯଦି ଟପ୍ ୪ରେ ଥିବା ଦଳ ମଧ୍ୟରୁ କୌଣସି ଗୋଟିଏ ଦଳର ପଏଣ୍ଟ ୧୪ କିମ୍ବା ସେଥିରୁ କମ ରହେ ତେବେ ଚେନ୍ନାଇର ଟପ୍-୪ରେ ପ୍ରବେଶ କରିବାର ଆଶା ରହିବ ।
ଗତ ସିଜିନ ଦେଖିଲେ ଆରସିବି ୧୪ ପଏଣ୍ଟ ସହ ପ୍ଲେ ଅଫରେ ସ୍ଥାନ ପାଇଥିଲା । ତେବେ ବର୍ତ୍ତମାନ ଟପ୍-୪ରେ ଥିବା ଅନ୍ୟ ଦଳର ପ୍ରଦର୍ଶନ ଦମଦାର ରହିଛି । ଦୁଇଟି ଦଳ ୧୨-୧୨ ପଏଣ୍ଟ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତିନୋଟି ଟିମ୍ ୧୦-୧୦ ପଏଣ୍ଟରେ ଅଛନ୍ତି । ଚେନ୍ନାଇ ଏହା ଆଶା କରିବ ଯେ, ଟପ୍-୪ରେ ଥିବା ଦଳମାନେ ଖରାପ ପ୍ରଦର୍ଶନ କରି ପରାଜିତ ହୁଅନ୍ତୁ । କୌଣସି ଗୋଟିଏ ଦଳର ଅଙ୍କ ୧୪ ପଏଣ୍ଟ କିମ୍ବା ତାଠୁ କମ ରହୁ ତେବେ ଯାଇ ଦଳର ପ୍ଲେ ଅଫ ଆଶା ଉଜ୍ଜୀବିତ ରହିବ । ଅନ୍ୟପଟେ ଚେନ୍ନାଇକୁ ପ୍ରଥମେ ନିଜର ପରବର୍ତ୍ତୀ ୫ ମ୍ୟାଚ୍ ଜିତିବାକୁ ପଡିବ । ଗୋଟିଏ ମ୍ୟାଚ୍ ହାରିଲେ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ।