ବ୍ରହ୍ମପୁର : ନାଟକରେ ଦେଖିବାକୁ ମିଳିଛି ନୃସଂଶତା। ମିଛ ରାକ୍ଷସ ରାକ୍ଷସରୁ ସତ ରାକ୍ଷସ ହେଲା ମଣିଷ। ସିମା ଟପିଗଲା ବର୍ବରତା । ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ମଞ୍ଚରେ କାଟିଦେଲେ ଜିଅନ୍ତା ଘୁଷୁରୀ ଓ ଖାଇଗଲେ ରାକ୍ଷସ ଅଭିନେତା। ଯାହା ଏବେ ସାରା ରାଜ୍ୟ ପାଇଁ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ରାମାୟଣ ନାଟକ ପରିବେଷଣ ବେଳେ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି କଳାକାର। ଯାହାକୁ ନେଇ କିଛି ସମୟ ପାଇଁ ହେଉ ପଛକେ ସ୍ତବ୍ଧ ହୋଇଗଲା ପୁରା ସଭ୍ୟ ସମାଜ। ସଭ୍ୟ ସମାଜରେ ଏମିତି ଅସଭ୍ୟ ଆଚରଣର ଏହି ଭାଇରାଲ ଭିଡିଓ ଏବେ ସାରା ରାଜ୍ୟବାସୀଙ୍କୁ ପୁରା ହତବାକ କରି ଦେଇଛି। ତେବେ ଏ ଦୃଷ୍ୟଟି ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ରାଳବ ଅଞ୍ଚଳର। ଯେଉଁଠି ଗ୍ରାମରେ ଚାଲିଥିବା ଯାତ୍ରା ଉପଲକ୍ଷେ ରାମାୟଣ ନାଟକ ପରିବେଷଣ ହେଉଛି। ରାମାୟଣର ମୁଖ୍ୟ ଚରିତ୍ର ରାମଙ୍କର ଆଦର୍ଶ, ସରଳତା ଓ ଉଦାରତା ଭଳି ସୁଗୁଣ ମାନଙ୍କୁ ନେଇ ଅନୁପ୍ରାଣିତ ହେବାକୁ ସାରା ଅଞ୍ଚଳବାସୀ ଅନେଇ ବସିଥିବା ବେଳେ ଏଭଳି ନୃସଂଶତା ଦୃଶ୍ୟକୁ ଦେଖୁଥିବା କୋମଲମତି ଶିଶୁଙ୍କ ଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ପୁଣି ବlଳି ସୁଗ୍ରୀବ ଭୂମିକାରେ ବିଷଧର ସାପ ସହ ଖେଳୁଛନ୍ତି କଳାକାର। ଟିକିଏ ଅସାବଧାନତା ହେଲେ ନିଜ ଜୀବନ ପ୍ରତି ଯେତିକି ବିପଦ, ତା ଠାରୁ ଅଧିକ ବିପଦ ରହିଛି ନାଟକକୁ ଉପଭୋଗ କରୁଥିବା ସମସ୍ତ ଦର୍ଶକଙ୍କ ପ୍ରତି। କଳା ନାଁରେ କଳଙ୍କର କାଳି ବୋଳୁଛନ୍ତି କଳାକାର। ଜୀବନ୍ତ ଘୁଷୁରୀକୁ ନାଟକରେ ବ୍ୟବହାର କରି ମଞ୍ଚ ଉପରେ ଏପରି ଓଲଟା ଟଙ୍ଗାଇ ନୃଶଂସ ଭାବେ ହତ୍ୟା କରି ସର୍ବ ସମ୍ମୁଖରେ କଞ୍ଚା ଖାଇବା ପାଇଁ ଅନୁମତି ଦେଇଛି କିଏ। ନାଟକକୁ ପରିବେଷଣ କରୁଥିଲେ ଖଲିକୋଟ ଟିକିଲି ଅଞ୍ଚଳର କଳାକାର ମାନେ। ସାରା ବିଶ୍ବ ରାମାୟଣର ଆଦର୍ଶକୁ ନେଇ ଗର୍ବ ଅନୁଭବ କରିବା ସହ ନାଟକର ପ୍ରତିଟି ଚରିତ୍ର ଜନସାଧାରଣଙ୍କ ଉପରେ ଏକ ପ୍ରକାର ସୁପ୍ରଭାବ ପକାଇ ରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାମରାଜ୍ୟ ଗଠନ ପାଇଁ ପ୍ରେରଣା ଯୋଗାଉଥିବା ବେଳେ ଏଭଳି ବିଭତ୍ସ ଦୃଶ୍ୟ ସଭ୍ୟ ସମାଜକୁ କି ପ୍ରକାର ବାର୍ତ୍ତା ଦେଉଛି,ତାକୁ ନେଇ ଏବେ ସମସ୍ତେ ଚିନ୍ତିତ ଓ ବ୍ୟଥିତ । ଯାହା ହିନ୍ଦୁ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ରାମାୟଣର ନୀତି,ଆଦର୍ଶକୁ କୁଠାରାଘାତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହା ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଖୋଲାଖୋଲି ଉଲଘଂନ କରୁଛନ୍ତି।
ତେବେ ସଦ୍ଯ ସୂଚନା ମୁତାବକ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ଯକ୍ତି ଜଣକ ନାଟକରେ ମରାଯାଇଥିବା ଘୁଷୁରିର ମାଲିକ ଅଟନ୍ତି।